କୋଣାର୍କ ଉତ୍ସବ ପ୍ରସ୍ତୁତି ଶେଷ: ଅନୁଧ୍ୟାନ କଲେ ପର୍ଯ୍ୟଟନ ସଚିବ,ନିର୍ଦେଶକ ଓ ଜିଲ୍ଲାପାଳ

662

କୋଣାର୍କ : ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଂଗମଂଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଓ ଚନ୍ଦ୍ରଭାଗା ସ୍ୱର୍ଣାଭ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ଆରମ୍ବ ହେଉଛି । ଏଥି ନିମନ୍ତେ ସୋମବାର ପୂର୍ବାହ୍ନରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ,ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ,ଜିଲ୍ଲାପାଳ ବଲୱନ୍ତ ସିଂ,ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ ପ୍ରଶାସନିକ ଅଧିକାରୀ ଚନ୍ଦ୍ରଭାଗା ବାଲୁକା କଳା ଓ ମୁକ୍ତାକାଶ ରଂଗମଂଚର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମାପଡା ଏସଡିପିଓ ପ୍ରଦୀପ କୁମାର ଦଳାଇ,ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ,ସରୋଜକାନ୍ତ ପ୍ରଧାନ,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ ଶ୍ରୀନିବାସ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ତିତ ଥିଲେ । ଉତ୍ସବ ନିମନ୍ତେ ଜନଗହଳିକୁ ଦୃଷ୍ଟିରେ ରଖି ମାସ୍କ ଓ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମୁକ୍ତାକାଶ ରଂଗମଂଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ରଂଗମଂଚରେ ପ୍ରତି ସଂଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ଓଡିଶୀ, ମଣିପୁରୀ, କୁଚିପୁଡି, ଭାରତନାଟ୍ୟମ, ମୋହିନୀଆଟ୍ଟମ ଓ କଥକ ନୁତ୍ୟ ପ୍ରଦର୍ଶନ,ଚନ୍ଦ୍ରଭାଗା ବେଳାଭୂମୀରେ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ଖୋଲା ରହିବ । ବେଳାଭୂମିରେ ୨୦ଷ୍ଟଲରେ ବିଭିନ୍ନ ରାଜ୍ୟରୁ ୭୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସୁରକ୍ଷା ପାଇଁ ମୁକ୍ତାକାଶ ରଂଗମଂଚ ଗ୍ୟାଲେରୀ ଭିତରେ ୬ଫୁଟ ବ୍ୟବଧାନରେ ଦର୍ଶକମାନେ ବସିବାର ବ୍ୟବସ୍ତା ହୋଇଛି । ପ୍ରବେଶ ପଥରେ ବିନା ମାସ୍କରେ କାହାରିକୁ ଛଡାଯିବ ନାହିଁ ବୋଲି କହିଥିଲେ ସଚିବ ଶ୍ରୀଦେବ । ଏଥର କୋଭିଡ ନିୟମ ଅନୁଯାୟୀ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଆୟୋଜିତ ହେଉଛି । ବିଶେଷକରି ମାସ୍କ ଓ ସାମାଜିକ ଦୂରତା ରକ୍ଷା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ବୋଲି ଜିଲ୍ଲାପାଳ ଶ୍ରୀସିଂ ସୂଚନା ଦେଇଥିଲେ ।

Leave A Reply

Your email address will not be published.