ଲିଙ୍ଗଗତ ସମାନତା: ପୁରୁଷ ପ୍ରାଧାନ୍ୟ କଳକାରଖାନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି
ମୁମ୍ବାଇ: ମହିଳାଙ୍କ ଲାଗି ଆଉ କୌଣସି କ୍ଷେତ୍ର ଅପହଞ୍ଚ ନୁହେଁ । ପୁରୁଷମାନେ କାମ କରୁଥିବା କ୍ଷେତ୍ରଗୁଡ଼ିକରେ ସେମାନେ ମଧ୍ୟ କାର୍ଯ୍ୟ କରି ସଫଳତା ପାଉଛନ୍ତି ।ବଡ଼ ବଡ଼ କଳ କାରଖାନାରେ ସାଧାରଣତଃ ପୁରୁଷମାନେ କାମ କରୁଥିବା ଦେଖିବାକୁ ମିଳେ । ମାତ୍ର ଗତ କିଛି ବର୍ଷ ମଧ୍ୟରେ ସେଥିରେ ପରିବର୍ତ୍ତନ ଦେଖିବାକୁମିଳିଛି । କାରଖାନାରେ ବିଭିନ୍ନ ଜିନିଷ ତିଆରି କରୁଥିବା ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜେଏସ୍ଡବ୍ଲୁ ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଟାଟା ମୋଟର୍ସ, ଆର୍ପିଜି ଗ୍ରୁପ୍ ଓ ଏମ୍ଜିମୋଟର ଇଣ୍ଡିଆ ସେମାନଙ୍କ କର୍ମଚାରୀଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି ।ଜେଏସ୍ଡବ୍ଲୁ ଷ୍ଟିଲ୍ କାଶ୍ମୀରର ପୁଲୱାମାରେ ଗୋଟିଏ କାରଖାନା ସ୍ଥାପନ କରୁଛି, ଯାହା ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସେଥିରେ ୫୦%ରୁ ଅଧିକ ମହିଳା କର୍ମଚାରୀ ରହିବେ ବୋଲି କଂପାନିର ଯୁଗ୍ମ ପରିଚାଳନା ନିଦେ୍ର୍ଦଶକ ଜୟନ୍ତ ଆଚାର୍ଯ୍ୟ କହିଛନ୍ତି । ଏହା ଦ୍ୱାରା ଲିଙ୍ଗଗତ ସମାନତା ଦିଗରେ ସଫଳତା ମିଳିବା ସହ ସ୍ଥାନୀୟ ମହିଳାମାନେ ଆର୍ଥିକ ସ୍ତରରେସ୍ୱାବଲମ୍ବୀ ହୋଇପାରିବେ ବୋଲି କଂପାନି ଭାବୁଛି । କର୍ଣ୍ଣାଟକର ବେଲାରିରେ ଥିବା କାରଖାନାର ଏକ ୟୁନିଟ୍କୁ ସମ୍ପୂର୍ଣ୍ଣ ରୂପେ ୬୦ ଜଣ ମହିଳା ଚଲାଉଛନ୍ତି । ବିର୍ଲା କାର୍ବନର ଗ୍ରୁପ୍ ଡାଇରେକ୍ଟର ସନ୍ତୃପ୍ତ ମିଶ୍ର କହିଛନ୍ତି ଯେ ଆଦିତ୍ୟ ବିର୍ଲା ଗ୍ରୁପ୍ରେ ନିଯୁକ୍ତିଦିଆଯାଉଥିବା ୫୦ ପ୍ରତିଶତରୁ ଅଧିକ ନୂଆ ଇଞ୍ଜିନିୟରମାନେ ହେଉଛନ୍ତି ମହିଳା । ଅଧିକ ସଂଖ୍ୟାରେ ମହିଳା ଇଞ୍ଜିନିୟରିଂ ଓଷ୍ଟେମ୍ ପାଠ୍ୟକ୍ରମରେ ଯୋଗ ଦେଉଥିବାରୁ କାରଖାନାରେ ମହିଳା କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଶ୍ରୀ ମିଶ୍ର କହିଛନ୍ତି । ଟାଟା ମୋଟର୍ସ ମଧ୍ୟ ମହିଳା କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ଉପରେ କାର୍ଯ୍ୟ କରୁଛି । ବର୍ତ୍ତମାନଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୫-୧୫% ମହିଳା ଥିବା ବେଳେ ସେହି ହାରକୁ କଂପାନି ୨୫% ପର୍ଯ୍ୟନ୍ତ ପହଞ୍ଚାଇବାକୁ ଯୋଜନାରଖିଛି । କଂପାନିର ବିଭିନ୍ନ କାରଖାନାରେ ୪୫୦୦ରୁ ଅଧିକମହିଳା କାର୍ଯ୍ୟ କରୁଛନ୍ତି । ପୁନେ କାରଖାନାରେ ୧୬୦୦ ପାଖାପାଖି ମହିଳା କାମ କରୁଛନ୍ତି । ଏମ୍ଜିମୋଟର ଇଣ୍ଡିଆର କାରଖାନାରେ ମଧ୍ୟ ମହିଳାଙ୍କ ନିଯୁକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ।