ୟୁକ୍ରେନ ବାସୀଙ୍କୁ ଆଶ୍ରୟ ଦେଉନି ଆମେରିକା ଜାଣନ୍ତୁ ଏହାର କାରଣ କଣ ?

213

ଡୁମାଣୀ ଟିଭି,୧୮/୩ : ୟୁକ୍ରେନ-ରୁଷର ଯୁଦ୍ଧ ପରଠାରୁ ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ି ପଳାୟନ କରିଛନ୍ତି। ଏହି ଲୋକମାନେ ପଡ଼ୋଶୀ ଦେଶ ଏବଂ ୟୁରୋପର ଅନ୍ୟାନ୍ୟ ଦେଶରେ ଶରଣ ନେଉଛନ୍ତି। ଏମିତି ସ୍ଥିତିରେ ସେହି ଦେଶଗୁଡ଼ିକ ମଧ୍ୟ ୟୁକ୍ରେନ ଶରଣାର୍ଥୀଙ୍କୁ ଶରଣ ଦେବାରେ ଉଦାରତା ଦେଖାଉଛନ୍ତି। କିନ୍ତୁ ଆମେରିକା ସେମାନଙ୍କୁ ଆଶ୍ରୟ ଦେବାକୁ ଇଚ୍ଛା କରୁନାହିଁ। ମିଳିତ ଜାତିସଂଘର ଆକଳନ ମୁତାବକ, ୨୪ ଫେବୃଆରୀରେ ରୁଷ ଆକ୍ରମଣ ପରଠୁ ୟୁକ୍ରେନର ୩୦ ଲକ୍ଷରୁ ଅଧିକ ଲୋକ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ଏ ପର‌୍ୟ୍ୟନ୍ତ କେବଳ ଶତାଧିକ ଲୋକଙ୍କୁ ହିଁ ନିଜ ଦେଶରେ ଆଶ୍ରୟ ଦେଇଛି। ଆମେରିକାର ଏହି ନୀତି ଉପରେ ଅନେକ ଆଲୋଚକ ପ୍ରଶ୍ନ ଉଠାଇଛନ୍ତି।
ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ଉଚ୍ଚ ଅଧିକାରୀମାନଙ୍କ କହିବା ହେଲା, ଆବଶ୍ୟକ ପଡ଼ିଲେ ଆମେରିକା ଶରଣାର୍ଥୀମାନଙ୍କୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ପ୍ରଶାସନ ବାରମ୍ବାର ସଙ୍କେତ ଦେଉଛି ଯେ ୟୁକ୍ରେନରୁ ବାହାରୁଥିବା ଲୋକଙ୍କ ପାଇଁ ୟୁରୋପ ପ୍ରାଥମିକତାରେ ରହିବା ଉଚିତ। ହ୍ଵାଇଟ୍ ହାଉସ୍ର ପ୍ରେସ୍ ସଚିବ ଜେନ୍ ସାକି କହିଥିଲେ, ଆମେରିକା ପ୍ରଶାସନର କହିବା ହେଲା, ବହୁ ସଂଖ୍ୟାରେ ଶରଣାର୍ଥୀ ପଡ଼ୋଶୀ ଦେଶରେ ରହିବାକୁ ଚାହାଁନ୍ତି, ଯେଉଁଠି ତାଙ୍କ ପରିବାର ଏବଂ ସାଙ୍ଗ ପୂର୍ବରୁ ଅଛନ୍ତି। ଆମେରିକା ବୈଦେଶିକ ବିଭାଗ ତଥ୍ୟ ମୁତାବକ, ଯୁକ୍ତରାଷ୍ଟ୍ର ଆମେରିକା ଜାନୁଆରୀ ଏବଂ ଫେବୃଆରୀରେ ରୁଷ ଆକ୍ରମଣ ସମୟରେ ମାତ୍ର ୫୧୪ ୟୁକ୍ରେନ ଶରଣାର୍ଥୀଙ୍କୁ ସ୍ୱୀକାର କରିଛି।
ଏ ପର‌୍ୟ୍ୟନ୍ତ ୟୁକ୍ରେନର ସବୁଠାରୁ ଅଧିକ ଶରଣାର୍ଥୀଙ୍କୁ ପୋଲାଣ୍ଡରେ ଜାଗା ମିଳିଛି। ଏଠାରେ ପାଖାପାଖି ୧୩.୩୦ ଲକ୍ଷ ଲୋକ ଆଶ୍ରୟ ନେଉଛନ୍ତି। ଏହା ବ୍ୟତୀତ ରୋମାନିଆରେ ୪.୫୯ ଲକ୍ଷ, ମୋଲଦୋଭାରେ ୩.୩୭ ଲକ୍ଷ, ହଙ୍ଗେରୀରେ ୨.୬୭ ଲକ୍ଷ ଏବଂ ସ୍ଲୋଭାକିଆରେ ୨.୧୩ ଲକ୍ଷ ଶରଣାର୍ଥୀ ଆଶ୍ରୟ ନେଇ ସାରିଛନ୍ତି। କିଛି ଲୋକ ରୁଷ ଏବଂ ବେଲାରୁଷ ମଧ୍ୟ ଯାଇଛନ୍ତି। ରୁଷରେ ପାଖାପାଖି ଦେଢ଼ ଲକ୍ଷ ତ ବେଲାରୁଷରେ ପାଖାପାଖି ୧୫୦୦ ୟୁକ୍ରେନ ଲୋକ ଆଶ୍ରୟ ନେଇଛନ୍ତି।

Leave A Reply

Your email address will not be published.