୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାର

61

ଖଲ୍ଲିକୋଟ ଗଞ୍ଜାମ ଖଲ୍ଲିକୋଟ ସାନଘାଟି ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବିଜେଡ଼ିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଛନ୍ତି । ଗତ ଗୁରୁବାର ସନ୍ଧ୍ୟାରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରିପୁର ଗାଁର ଶଙ୍କର ମହାରଣାଙ୍କୁ କ୍ରିକେଟ ଖେଳୁଥିବା ବେଳେ ପେଟରେ ବଲ୍ ବାଜି ଯାଇଥାଲା । ଗୁରୁତର ଶଙ୍କରଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରିବା ନିମନ୍ତେ ଡାକ୍ତର ପରାମର୍ଶ ଦେଇଥିଲେ । ବାଲୁଗାଁରୁ ଏମକେସିଜି ମେଡିକାଲ ଅଭିମୁଖେ ୧୦୮ ଆମ୍ବୁଲାନ୍ସରେ ଆସୁଥିବା ବେଳେ ଖଲ୍ଲିକୋଟ ସାନଘାଟି ନିକଟରେ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ପରେ ମଧ୍ୟ ୧୦୮ ଆମ୍ବୁଲାନ୍ସ ଠିକ ନ ହେବାରୁ ଆଉ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଶଙ୍କରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ଯୁବକଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ବିଜେଡ଼ିକୁ ମୃତକଙ୍କ ପରିବାରକୁ ମିଶିବା ସହ ତଥ୍ୟ ଅନୁସନ୍ଧାନ କରିବା ପାଇଁ କହିଥିଲେ । ସେହି କ୍ରମରେ ଆଜି ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବ୍ରହ୍ମପୁର ପଣ୍ଡା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ‌ଛତ୍ରପୁରର ପୂର୍ବତନ ବିଧାୟକ ସୁବାଷ ବେହେରାଙ୍କ ସମେତ ବହୁ ପୂର୍ବତନ ବିଧାୟକ ଓ ବିଧାୟିକାଙ୍କ ସହ ବହୁ ନେତା ମୃତକ ଶଙ୍କରଙ୍କ ଘରେ ପହଞ୍ଚିଥିଲେ । ଶଙ୍କରଙ୍କ ପରିବାର ଲୋକଙ୍କ ସହ ଶଙ୍କରଙ୍କ ମୃତ୍ୟୁକୁ ନେଇ ଆଲୋଚନା କରିଥିଲେ । ତେବେ ଶଙ୍କରଙ୍କ ମୃତ୍ୟୁ କେବଳ ୧୦୮ ଆମ୍ବୁଲାନ୍ସ ଖରାପ ଯୋଗୁଁ ମୃତ୍ୟୁ ହୋଇଛି । ଯଦି ସଠିକ ସମୟରେ ଶଙ୍କରଙ୍କୁ ୧୦୮ ଆମ୍ବୁଲାନ୍ସ ଏମକେସିଜି ମେଡିକାଲରେ ପହଞ୍ଚିଥାନ୍ତା ତେବେ ଶଙ୍କରଙ୍କ ମୃତ୍ୟୁ ହୋଇନଥାନ୍ତା । ତେଣୁ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଜେଡ଼ି ଦାବି କରିଛି । ଏହାଛଡ଼ା ଆମ୍ବୁଲାନ୍ସ କର୍ମଚାରୀ ଓ ଡ଼୍ରାଇଭର ମାନେ ଗାଡ଼ି ଖରାପ ଥିବା ନେଇ ପୂର୍ବରୁ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ସୁଦ୍ଧା ତାହାର ମରାମତି କରିନଥିଲେ । ତେଣୁ ସରକାରଙ୍କ ଅବହେଳା ଯୋଗୁଁ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଆଉ ଏହି ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତପା ଦିଅନ୍ତୁ । ଖୁବଶୀଘ୍ର ଏନେଇ ଶଙ୍କରଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ସରକାର ଓ ୧୦୮ ଆମ୍ବୁଲାନ୍ସ ପରିଚାଳନା କରୁଥିବା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ମାମଲା ଦିଆଯିବା ସହ କୋର୍ଟର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ବିଜେଡ଼ିର ପ୍ରତିନିଧି ଦଳ ।

Leave A Reply

Your email address will not be published.