ବ୍ରହ୍ମପୁର, : ଶୁକ୍ରବାରଠୁ ଆରମ୍ଭ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା । ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା\’ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଘଟ ବିଳମ୍ବିତ ରାତିରେ ଆସିବ । ଶାଶୂଘରୁ ବାପଘରକୁ ଆସିବେ ମା\’ । ପ୍ରାୟ ମାସେ ଧରି ବାପଘରେ ରହିବା ପରେ ବାପଘରୁ ବିଦାୟ ନେବେ । ଏଥିପାଇଁ ଚଳଚଞ୍ଚଳ ଦେଶୀ ବେହେରା ସାହି । ପ୍ରାୟ ୧ ମାସ ଧରି ଚାଲିବ ମା\’ବୁଢୀ ଠାକୁରାଣୀଙ୍କ ଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁଥିବାରୁ ବ୍ୟାପକ ପୋଲିସ ମୁତୟନ ବ୍ୟବସ୍ଥା କରାଯାଇଛି । କହିରଖୁଛୁ ଯେ, ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଥମେ ଅନୁଷ୍ଠିତ ହୋଇଥାଏ । ତେବେ ପ୍ରଥମ ବୁଢ଼ୀ ଠାକୁରାଣୀ ଯାତ୍ରା ୧୭୭୯ ମସିହା ଏପ୍ରେଲ ମାସରେ ଅନୁଷ୍ଠିତ ହେଇଥିଲା । ସେବେଠାରୁ ପ୍ରତି ଦୁଇ ବର୍ଷରେ ଥରେ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଏହି ଯାତ୍ରା ରାଜ୍ୟ ଉତ୍ସବ ଭାବେ ମଧ୍ୟ ମାନ୍ୟତା ପାଇଛି । କିମ୍ବଦନ୍ତି ଅନୁସାରେ, ମହୁରୀ ରାଜ୍ୟ ରାଜା ପ୍ରତିଦିନ ଅଷ୍ଟଶମ୍ଭୁଙ୍କୁ ପୂଜା କରୁଥିଲେ । ରାଜାଙ୍କର ଇଷ୍ଟଦେବୀ ମା\’କାଳୁଆଙ୍କ ପ୍ରଦତ୍ତ ଖଣ୍ଡା ଧରି ସେ ଅଷ୍ଟଶମ୍ଭୁଙ୍କୁ ପ୍ରାତ୍ୟହିକ ଦର୍ଶନ କରିସାରିବା ପରେ ମା\’ଙ୍କୁ ଦର୍ଶନ କରି ବ୍ରହ୍ମପୁରର ରାଜାସାହିସ୍ଥ ଉଆସରେ ପହଞ୍ଚି ରାଜକାର୍ଯ୍ୟ ପରିଚାଳନା କରୁଥିଲେ । ଏଥିପାଇଁ ରାଜାଙ୍କୁ ପ୍ରତିଦିନ ୨୦ରୁ ୨୫କିଲୋମିଟର ଘୋଡାରେ ଦୌଡ଼ିବାକୁ ପଡୁଥିଲା । ରାଜାଙ୍କ ଶାସନ ପୂର୍ବରୁ ହିଁ ବ୍ରହ୍ମପୁର ଠାକୁରାଣୀ ଗ୍ରାମଦେବତୀ ରୂପେ ବ୍ରହ୍ମପୁରରେ ପୂଜା ପାଇଆସୁଥିଲେ । ମା\’ ବୁଢ଼ୀ ଠାକୁରାଣୀ ଲୋକଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ ଥିଲେ । ରାଜାଙ୍କ ଦାକ୍ଷିଣାତ୍ୟ ସଂପର୍କ ଯୋଗୁଁ ବର୍ତ୍ତମାନ ପ୍ରଚଳିତ ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଆରମ୍ଭ ବୋଲି କୁହାଯାଏ । ମହୁରୀ ରାଜା କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ସମୟରେ ରାଜା ଦାକ୍ଷିଣାତ୍ୟ ଯାଇ, ରାଜ ମହେନ୍ଦ୍ରୀ ରାଜାଙ୍କ ଆତିଥେୟତା ଗ୍ରହଣ କରି ପାଟପଗଡ଼ି ଗ୍ରହଣ କରୁଥିଲେ । ରାଜ ମହେନ୍ଦ୍ରୀ ରାଜା ମହୁରୀ ରାଜାଙ୍କୁ ଉଭୟ ରାଜ୍ୟ ମଧ୍ୟରେ ଥିବା ସଂପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ପାଟପଗଡ଼ି ଓ ଉତ୍ତରୀୟ ଉପଢୌକନ ହିସାବରେ ଦେଇଥିଲେ । ସେତେବେଳେ ସମୟ ଥିଲା ଚୈତ୍ରବୈଶାଖର ସମୟ ସେଠାରେ ମା\’ଙ୍କର ଘଟଯାତ୍ରା ଚାଲିଥିଲା । ଶହ ଶହ ମହିଳାଙ୍କୁ ଏହି ଘଟଯାତ୍ରାରେ ଯୋଗଦେବାର ଦେଖି ମହୁରୀ ରାଜା ଜିଜ୍ଞାସା କରନ୍ତେ ଏହି ଯାତ୍ରା ସେହି ପାଟପଗଡ଼ି ବୁଣାକାରମାନଙ୍କ ସଂପ୍ରଦାୟ ବା ଦେବାଙ୍ଗ ସଂପ୍ରଦାୟର ଲୋକଙ୍କଦ୍ୱାରା ଅନୁଷ୍ଠିତ ହେଉଛି ବୋଲି ରାଜମହେନ୍ଦ୍ରୀ ରାଜା କହିଥିଲେ । ମହୁରୀ ରାଜା ତାଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କର ବ୍ରହ୍ମପୁର ଫେରିବା ସମୟରେ ଏହି ଦେବାଙ୍ଗ ସଂପ୍ରଦାୟର କିଛି ଲୋକଙ୍କୁ ତାଙ୍କ ସହିତ ପଠାଇବା ପାଇଁ । ଦେବାଙ୍ଗ ସଂପ୍ରଦାୟର ଲୋକେ ବ୍ରହ୍ମପୁର ଆସିଲେ ଏବଂ ସେମାନଙ୍କ ଉଦ୍ୟମରେ ବ୍ରହ୍ମପୁରୀ ପାଟବୁଣା ଓ ବ୍ରହ୍ମପୁରର ପ୍ରସିଦ୍ଧ ଘଟଯାତ୍ରା ପରମ୍ପରା ଆରମ୍ଭ ହେଲା । ଆଉ ଏହିଯାତ୍ରାର ମୁଖ୍ୟ ହେଲେ ଦେବାଙ୍ଗ (ଓଡ଼ିଶାରେ କୁହାଯାଉଥିବା ଡେରା ସଂପ୍ରଦାୟ) ସଂପ୍ରଦାୟର ମୁଖ୍ୟ ତଥା ଅଠର ଖଣ୍ଡ ପାଟର ସେନାପତି ‘ଦେଶୀବେହେରା\’ । କିମ୍ବଦନ୍ତୀ ଅନୁସାରେ ଦେଶୀ ବେହେରାଙ୍କ କନ୍ୟା ରୂପେ ପ୍ରତି ଦୁଇବର୍ଷକୁ ଥରେ ଆସିବା ପରେ ହିଁ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଏହି ଅଞ୍ଚଳର କନ୍ୟାମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଇଥାଏ । ବିବାହିତା କନ୍ୟାମାନଙ୍କୁ ଓ ସେମାନଙ୍କ ଶ୍ୱଶୁରଘର ଲୋକମାନଙ୍କୁ ଯାତ୍ରା ସମୟରେ ନିମନ୍ତ୍ରଣ କରିବା ପାଇଁ କନ୍ୟାପିତାମାନେ ମାନସିକ ରଖିଥାନ୍ତି । କନ୍ୟା, ଜ୍ୱାଇଁ ତଥା କନ୍ୟାର ସନ୍ତାନ ଓ ସଂପର୍କୀୟମାନଙ୍କୁ ନୂଆଲୁଗା ଓ ଉପହାର ସାଧ୍ୟମତେ ଦେବାକୁ ମାନସିକ ରଖିଥାନ୍ତି । ପ୍ରବାଦ ଅଛି ଏହିଯାତ୍ରା ସମୟରେ ଯାହାଘରକୁ ଯେତେ ଅଧିକ ଅତିଥି ଆସନ୍ତି ତାଙ୍କୁ ସେତେ ପୂଣ୍ୟ ମିଳେ । ଏତଦ ବ୍ୟତୀତ ଠାକୁରାଣୀ ଯାତ୍ରା ସମୟରେ ଯାତ୍ରାନୁଷ୍ଠାନ ସହ ସମସ୍ତ କାର୍ଯ୍ୟ ମହିଳାମାନଙ୍କଦ୍ୱାରା ହିଁ ସମ୍ପାଦିତ ହୋଇଥାଏ । ମା\’ଙ୍କ ମୂଳମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା\’ଙ୍କୁ ଆଣିବା, ପ୍ରତିଦିନ ସନ୍ଧ୍ୟାରେ ଘଟ ପରିକ୍ରମା କରିବା, ଝୋଟିମୁରୁଜ ଓ ଝାଡୁରେ ପ୍ରତିରାତି ପାହାନ୍ତାରେ ଅସ୍ଥାୟୀ ମଣ୍ଡପ ଚାରିପାଖ ସଫାକରିବା, ଅସ୍ଥାୟୀ ମଣ୍ଡପରେ ପ୍ରତିଦିନ ଧର୍ମଝଣ୍ଡାରେ ହଳଦୀ ଚନ୍ଦନ ଲେପନ, କୁଙ୍କୁମ ପୂଜା ବା ଭୁବନେଶ୍ୱରୀ ପୂଜାରେ ବସିବାଠାରୁ ଆରମ୍ଭ କରି ପୁଣିଥରେ ମା\’ଙ୍କ ଘଟକୁ ଧରି ମା\’ଙ୍କ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଏସମସ୍ତ କାର୍ଯ୍ୟ ଯାତ୍ରା ସମୟରେ ଲକ୍ଷ ଲକ୍ଷ ମହିଳାଙ୍କଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ । ମା\’ମାନେ ଅତିକମରେ ଦୁଇବର୍ଷ ପୂର୍ବରୁ ମାନସିକ ରଖିଥାନ୍ତି କିଏ କେଉଁ କାର୍ଯ୍ୟ କରିବ । କିଏ ପୁତ୍ର କନ୍ୟା କିମ୍ବା ପରିବାରର ମଙ୍ଗଳ ପାଇଁ ଆଉକିଏ ସନ୍ତାନ ଲାଭ ପାଇଁ । କେତେକ ମହିଳା ଧର୍ମକାର୍ଯ୍ୟରେ ସାମିଲ ହେବାର ମାନସିକ ରଖିଥାନ୍ତି ।
Sign in
Sign in
Recover your password.
A password will be e-mailed to you.