ଦେଶକୁ ରାହୁଲ ଗାନ୍ଧୀ ଦରକାର କହି ୭୮ ବର୍ଷୀୟା ବୟସ୍କା ମହିଳା ରାହୁଲଙ୍କ ନାଁରେ ଲେଖିଦେଲେ ସବୁ ସମ୍ପତ୍ତି

352

ଡୁମାଣୀ ଟିଭି ୪/୪ : କଂଗ୍ରେସନେତା ରାହୁଲ ଗାନ୍ଧୀଙ୍କ ପ୍ରତି ୭୮ ବର୍ଷୀୟା ବୃଦ୍ଧା ମହିଳାଙ୍କ ଦୃଢ଼ ଭରସା। ଦେଶକୁ ରାହୁଲ ଦରକାର। ତାଙ୍କର ଆଇଡିଆ ହିଁ ଦେଶକୁ ଆଗକୁ ନେବ ବୋଲି କହୁଛନ୍ତି ଉତ୍ତରାଖଣ୍ଡ ଦେହରାଦୁନର ଡାଲନବାଲା ନେହରୁ ରୋଡ୍‌ର ୭୮ ବର୍ଷୀୟା ମହିଳା ପୁଷ୍ପା ମୁଞ୍ଜିଲାଲ୍। କେବଳ ସେତିକି ନୁହେଁ, ରାହୁଲଙ୍କ ପ୍ରତି ପୁଷ୍ପାଙ୍କର ଭଲପାଇବା ଏତେ ଯେ ସେ ବୟସର ଅପରାହ୍ନରେ ଥାଇ ବି ତାଙ୍କର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କୁ ନାଁରେ କରିଦେଇଛନ୍ତି।

ଏନେଇ କୋର୍ଟରେ ବୃଦ୍ଧାଙ୍କର ସମସ୍ତ ସମ୍ପତ୍ତିର ମାଲିକାନା ରାହୁଲ ଗାନ୍ଧୀଙ୍କ ନାଁରେ ଟ୍ରାନ୍ସଫର କରାଯାଇଛି। ଏଥିରେ ଜମିବାଡ଼ି ସହ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଓ ୧୦ ତୁଳା(୧୧୬.୬ ଗ୍ରାମ) ସୁନା ରହିଛି। ପୁଷ୍ପାଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଓ ତାଙ୍କର ଆଇଡିଆ ଦେଶ ପାଇଁ ଆବଶ୍ୟକ। ସେ ରାହୁଲଙ୍କ ଚିନ୍ତାଧାରାରେ ଗଭୀର ଭାବେ ଅନୁପ୍ରାଣିତ ହୋଇଛନ୍ତି। ଏଥିପାଇଁ ସେ ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କ ନାଁରେ ଲେଖି ଦେଇଛନ୍ତି ବୋଲି ପୁଷ୍ପା କହିଛନ୍ତି।

ଏନେଇ କଂଗ୍ରେସ ମେଟ୍ରୋପଲିଟାନ ଅଧ୍ୟ ଲାଲ୍‌ଚାନ୍ଦ ଶର୍ମା ସୂଚନା ଦେଇ କହିଛନ୍ତି ଯେ ପୁଷ୍ପା ତାଙ୍କର ସମସ୍ତ ସମ୍ପତ୍ତି ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଘରେ ପୁଷ୍ପା ସମସ୍ତ ସମ୍ପତ୍ତି ରାହୁଲଙ୍କ ନାଁରେ ୱିଲ୍ କରିଛନ୍ତି ବୋଲି ଲାଲଚାନ୍ଦ ଶର୍ମା ସୂଚନା ଦେଇଛନ୍ତି। ପୁଷ୍ପା ତାଙ୍କ ସମ୍ପତ୍ତି କାଗଜପତ୍ର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ପ୍ରୀତମ ସିଂହଙ୍କୁ ଦେଇଛନ୍ତି।

ସମ୍ପତ୍ତି କାଗଜ ଦେଲାବେଳେ ପୁଷ୍ପା କହିଛନ୍ତି ଯେ ଗାନ୍ଧୀ ପରିବାର ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଦେଶ ପାଇଁ ସବୁବେଳେ ଆଗରେ ରହି ଦେଶ ପାଇଁ ଜୀବନ ଦେଇଛନ୍ତି। ଶ୍ରୀମତି ଇନ୍ଦିରା ଗାନ୍ଧୀ ହୁଅନ୍ତୁ ବା ରାଜୀବ ଗାନ୍ଧୀ ଦୁଇ ଜଣ ଏହି ଦେଶର ଅଖଣ୍ଡତା ପାଇଁ ନିଜର ପ୍ରାଣବଳି ଦେଇଛନ୍ତି। ତେଣୁ ସେ ତାଙ୍କ ସମ୍ପତ୍ତି ପାଇଁ ରାହୁଲ ଗାନ୍ଧୀଙ୍କୁ ସବୁଠାରୁ ଉପଯୁକ୍ତ ଦାୟାଦ ବୋଲି ମନେ କରୁଛନ୍ତି ବୋଲି ପୁଷ୍ପା କହିଛନ୍ତି।

Leave A Reply

Your email address will not be published.