ବିଫଳ ହେବନି ସହିଦଙ୍କ ତ୍ୟାଗ

622

କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ପ୍ରତିଷ୍ଠା ହେବ ସ୍ମାରକୀ, ଲିପିବଦ୍ଧ ହେବ କରୋନା ଯୋଦ୍ଧାଙ୍କ ନାମ

ଭୁବନେଶ୍ୱର: ଭୁବନେଶ୍ୱରରେ ସହିଦ କୋଭିଡ ଯୋଦ୍ଧାଙ୍କ ପାଇଁ ନିର୍ମାଣ ହେବ ସ୍ମାରକୀ । କୋଭିଡ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାରେ ଶତାଧିକ କରୋନା ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କ ସମ୍ମାନାର୍ଥେ ସ୍ମୃତି ସ୍କାରକୀ ନିର୍ମାଣ କରାଯିବ । ଏହି ସ୍ମାରକୀରେ ପ୍ରାଣ ହରାଇଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କ ନାଁ ଲିପିବଦ୍ଧ କରାଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । କରୋନା କାଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା ପାଇଁ ନିୟୋଜିତ ପୋଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ସାମ୍ବାଦିକ, କୋଭିଡ ପରିଚାଳନାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ମିଳିଛି । କରୋନା ପରିଚାଳନାରେ ନିଜକୁ ସମର୍ପଣ କରିଦେଇଥିବା ଯୋଦ୍ଧାଙ୍କ ପ୍ରାଣ ମଧ୍ୟ ନେଇଛି କରୋନା ଭୂତାଣୁ । କରୋନା ଯୁଦ୍ଧରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସହିଦ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ପାଇଁ ସ୍ମାରକୀ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା କାଳରେ ସଂକ୍ରମିତ ହୋଇ ଶତାଧିକ କରୋନା ଯୋଦ୍ଧା ସହିଦ ହୋଇଛନ୍ତି । ସେମାନଙ୍କୁ ମନେ ରଖିବା ତଥା ସମ୍ମାନ ପାଇଁ ସ୍ମାରକୀର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେଣୁ ନିର୍ମାଣ ହେବାକୁ ଥିବା ସ୍ମାରକୀରେ ସମସ୍ତ ସହିଦ କରୋନା ଯୋଦ୍ଧାଙ୍କ ନାଁ ଲିପିବଦ୍ଧ ହୋଇ ରହିବ ।

ବଦଳିବ ଏସ୍‌ସିବିର ଚେହେରା, ଖର୍ଚ୍ଚ ହେବ ୩୫୦୦ କୋଟି

ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ହେଉଛି ଓଡିଶାବାସୀଙ୍କର ଭରସାର କେନ୍ଦ୍ର । ସ୍ୱାସ୍ଥ୍ୟସେବା ପାଇଁ ଓଡିଶାବାସୀଙ୍କର ବିଶ୍ୱାସର କେନ୍ଦ୍ର କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜର ନବକଳେବର ହେବ । ଏଥିପାଇଁ ଲକ୍ଷ୍ୟ ରହିଛି ଏମ୍ସ ପ୍ଲସ୍ ଅର୍ଥାତ୍ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ୍‌) ଭଳି ଏଠାରେ ଚିକିତ୍ସା ସେବା ମିଳିପାରିବ । ଏହି ଯୋଜନାରେ ଭିତ୍ତିଭୂମିର ବିକାଶ ସହିତ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଅଣାଯିବ । ଯାହା ୫-ଟି କାର୍ଯ୍ୟକ୍ରମର ମୁଖ୍ୟ ଆଧାର । ୨୦୨୧ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ଏକ ନୂଆ ଯୁଗର ସଂକେତ ଦେଉଛି । ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ସରକାରୀସ୍ତରରେ ଏହା ଦେଶର ସର୍ବ ବୃହତ୍ ପ୍ରକଳ୍ପ । ୫୦୦୦ ଶଯ୍ୟା ସହିତ ଡାକ୍ତର, ରୋଗୀ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏଠାରେ ଉପଲବ୍ଧ ହେବ । ୧୯୪୪ ମସିହାରେ ସ୍ଥାପିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ୍ ଦୀର୍ଘଦିନ ଧରି ଓଡିଶା ସମେତ ପୂର୍ବ ଭାରତର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସୁନାମ ରହିଛି । ଏଠାରେ ପଢିଥିବା ଡାକ୍ତରମାନେ ସାରା ପୃଥିବୀରେ ସେମାନଙ୍କର ଦକ୍ଷତା ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ଦେଶରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମର୍ଯ୍ୟାଦାଜନକ ଅନୁଷ୍ଠାନକୁ ଏକ ବିଶବସ୍ତରୀୟ ଚିକିତ୍ସା କେନ୍ଦ୍ରରେ ପରିଣତ କରାଯିବ । ମୁଖ୍ୟମନ୍ତ୍ରୀଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଚିକିତ୍ସା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ରୋଗୀମାନଙ୍କୁ ସୁଲଭ ତଥା ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବାରେ ଏକ ଉଦାହରଣ ହୋଇ ରହିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଜନସାଧାରଣ ସୁଲଭ ତଥା ଉଚ୍ଚ ଗୁଣାତ୍ମକମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ । ଲକ୍ଷ୍ୟ ରହିଛି ଓଡିଶାର ଲୋକ ଏହିଠାରେ ହିଁ ଉନ୍ନତ ଚିକିତ୍ସା ପାଇପାରିବେ । ବହୁ ଓଡିଆ ଡାକ୍ତର ଦେଶବିଦେଶରେ ଚିକିତ୍ସା ସେବା ଯୋଗାଇ ସୁନାମ କରିଛନ୍ତି । ସେମାନେ ଯେପରି ସେମାନଙ୍କ ଜନ୍ମମାଟିରେ ସେମାନଙ୍କ ଦକ୍ଷତାକୁ ଓଡ଼ିଶାବାସୀଙ୍କ ସେବାରେ ଲଗାଇ ପାରିବେ । ସେଥିପାଇଁ ମଧ୍ୟ ଏକ ଉତ୍ତମ ପରିବେଶ ସୃଷ୍ଟି କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଏହି ପ୍ରକଳ୍ପକୁ ସେ ନିଜେ ବ୍ୟକ୍ତିଗତ ଭାବରେ ତଦାରଖ କରୁଛନ୍ତି । ସମସ୍ତଙ୍କର ସହଯୋଗରେ ଏହି ଅନୁଷ୍ଠାନ ଦିନେ ଦେଶର ଶ୍ରେଷ୍ଠ ୩ଟି ଚିକିତ୍ସା ଅନୁଷ୍ଠାନ ମଧ୍ୟରେ ସ୍ଥାନ ପାଇବାରେ ଫଳ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏକ ମର୍ଯ୍ୟାଦାଜନକ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶଯ୍ୟା ସଂଖ୍ୟା ୩୫୦୦ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଏହାକୁ ୫୦୦୦କୁ ବୃଦ୍ଧି କରାଯିବ । ୩ ବର୍ଷରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପରେ ଡାକ୍ତର, ରୋଗୀ, ରୋଗୀଙ୍କ ସହାୟକ, ସ୍ୱାସ୍ଥ୍ୟ କର୍ମଚାରୀ ସମସ୍ତଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ । ଅତ୍ୟାଧୁନିକ ଚିକିତ୍ସା ଉପକରଣ ସହିତ ପରିବହନ ବ୍ୟବସ୍ଥା, ଆଧୁନିକ ରେଷ୍ଟୁରାଣ୍ଟ, ବାଣିଜ୍ୟ କେନ୍ଦ୍ର ଓ ସୁରକ୍ଷା ବ୍ୟବସ୍ଥା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିରେ ୧୨୮୦ଟି ସରକାରୀ ବାସଗୃହ ନିର୍ମିତ ହେବା ସହିତ ଛାତ୍ରାବାସରେ ଅଧିକ ୨୨୦୦ଜଣ ଛାତ୍ରଛାତ୍ରୀ ରହିବାର ବ୍ୟବସ୍ଥା କରାଯିବ । ଏହି ହସ୍ପିଟାଲର ଉନ୍ନତି ସହିତ କ୍ରୀଡ଼ା ଓ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ତମ ପରିବେଶ ସୃଷ୍ଟି କରାଯିବ । ଏହି ମେଡ଼ିକାଲ୍ କଲେଜ ହସ୍ପିଟାଲ୍‌ର ସୁ ରିଚାଳନା ପାଇଁ ଏକ ସ୍ୱାଧୀନ ପରିଚାଳନା ମଣ୍ଡଳୀ ରହିବ ଯାହାକି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହିତ ଚିକିତ୍ସା, ଶିକ୍ଷା ଓ ଗବେଷଣାର ମାନ ବୃଦ୍ଧି ପାଇଁ କାମ କରିବ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଶେଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ତ୍ତ ସଚିବ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ଜାନୁଆରୀ ୨୦୨୪ରେ ଏହା ଉଦ୍‌ଘ।ଟନ କରିବା ପାଇଁ ଯୋଜନା ରଖିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.