ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରସ୍ଥିତ ଏକ ଭଡ଼ା ଘର ଭିତରୁ ମିଳିଛି ବାପାମା’ଙ୍କ ସମତେ ୧୫ ମାସ ଶିଶୁ କନ୍ୟାର ଝୁଲନ୍ତା ମୃତଦେହ। ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା । ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା ଜଣାଯାଇଛି। ତୁଷାର ଭୁବନେଶ୍ୱରରେ ରହି ପ୍ରାୟ ୬ ମାସ ହେବ ଏକ ହୋଟେଲରେ କାମ କରୁଥିଲେ। ୨ ମାସ ହେବ ପରିବାରକୁ ଆଣି ଭଡ଼ା ଘରେ ରଖୁଥିଲେ । ମାତ୍ର ପାରିବାରିକ କଳହ ଲାଗି ରହୁଥିବାରୁ ହୋଟେଲ ମାଲିକ ତାଙ୍କୁ ଆଣି ଚିନ୍ତାମଣିଶ୍ୱରରେ ଏକ ଭଡ଼ା ଘରେ ପ୍ରାୟ ୨ ଦିନ ତଳେ ରଖିଥିଲେ। ଆଜି ସକାଳେ ତୁଷାରଙ୍କ ପରିବାର କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଝିଅକୁ ହତ୍ୟା କରି ପରେ ବାପାମା’ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ । ତୁଷାର ରହୁଥିବା ଘର ମାଲିକଙ୍କ ସୂଚନା ଅନୁଯାୟୀ, ତୁଷାରଙ୍କ ଗାଁରେ ଜମି ବିବାଦ ଲାଗି ରହିଥିଲା। ତୁଷାରଙ୍କ ବାପା ୨ଟି ବିବାହ କରିଥିବା ବେଳେ ତାଙ୍କ ମା’ଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ତାଙ୍କ ସାବତ ମା’ଙ୍କ ପୁଅ ନାମରେ ବାପା ସବୁ ସମ୍ପତ୍ତି କରି ଦେଇଥିବା ତୁଷାର ଜାଣିବାକୁ ପାଇଥିଲେ। ସେଥିଯୋଗୁ ସେ ସବୁବେଳେ ଚିନ୍ତାରେ ରହୁଥିଲେ। ଏହାପରେ ଆଜି ଝୁଲନ୍ତା ଅବସ୍ଥାରେ ତୁଷାର, ତାଙ୍କ ପତ୍ନୀ ଓ ଝିଅଙ୍କ ମୃତଦେହ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.