ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବ୍ୟବସ୍ଥା ପୁଣି ଭାଙ୍ଗିଲା ରୋଷଘର ଚୁଲି

158

ପୁରୀ , ୦୨/୦୭: ପୁରୀ ଶ୍ରୀମନ୍ଦିରରେ ଅବ୍ୟବସ୍ଥା ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ରୋଷ ଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି । କାଲି ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି। କିଏ ଭାଙ୍ଗିଛି ତାହା ଜଣାପଡ଼ିନି। ଯିଏ ପାରେ ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି। କିଛି ବ୍ୟବସ୍ଥା ନାହିଁ। ତେଣୁ କିଏ ପଶି ଭାଙ୍ଗି ଦେଇଥିବ।

ଆଡ଼ପ ଅବଢ଼ା ରନ୍ଧା ହେବା ପାଇଁ ଏହି ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା।ସୁଆର ସେବାୟତ ଟୁଲୁ ମହାସୁଆର କହିଛନ୍ତି, ୫ ଦିନ ପୂର୍ବରୁ ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା। ମୋଟ ୭୫୨ଟି ଚୁଲି ତିଆରି କରାଯାଇଥିଲା। ତା’ ମଧ୍ୟରୁ ୨୦ଟି ଚୁଲିକୁ ଭାଙ୍ଗି ଦିଆଯାଇଛି। କେହି ଏଗୁଡ଼ିକୁ ହାତରେ ଭାଙ୍ଗିଛି। ଶ୍ରୀମନ୍ଦିର ରୋଷଘର ଚୁଲି ଭଳି ଏଗୁଡ଼ିକୁ ତଡ଼ା ଯାଇନି। ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଛି। ବାହାର ଲୋକେ କେହି ଭାଙ୍ଗି ନାହାନ୍ତି। ଆମ ସେବାୟତ ଭାଇଙ୍କ ଭିତରୁ କେହି ଚୁଲି ଗୁଡ଼ିକୁ ଭାଙ୍ଗି ଥିବା ଭଳି ମନେ ହେଉଛି।

ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ବେଳେ ଏମିତି ଏକ ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଅନ୍ୟପକ୍ଷରେ ଶରଧା ବାଲିରେ ରଥ ଉପରେ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟା ଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ। ଏହା ପୂର୍ବରୁ ମଧ୍ୟ ପୁରୀ ଶ୍ରୀମନ୍ଦିରର ରୋଷଘରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା। ଏହି ଘଟଣାରେ ପୁଲିସ୍ ଜଗନ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା।

Leave A Reply

Your email address will not be published.