ନୂଆପଡ଼ା,୫ା୧୨: ନୂଆପଡ଼ା ଜିଲ୍ଲା କୋମନା ଓ ଖଡ଼ିଆଳ ବ୍ଲକ ମଧ୍ୟସ୍ଥ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର କାମ ଆରମ୍ଭ ହେବାର ୨୦ ବର୍ଷ ବିତି ଯାଇଥିଲେ ନିର୍ମାଣ କାମ ଅସମ୍ପୁର୍ଣ୍ଣ ହୋଇ ରହିଛି । ଏବେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ଓ ନିର୍ମାଣ କାମ ସମ୍ପୁର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ନିର୍ବାଚିତ ପ୍ରତିନିଧି ଓ ବିସ୍ଥାପିତ କ୍ଷତିଗ୍ରସ୍ତ ମାନଙ୍କୁ ଆଲୋଚନା କରିଛନ୍ତି । ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆସନ୍ତା ୨୦୨୧ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଉଦ୍ଘାଟନ କରିବାକୁ ଯୋଜନା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରିବା ସହ ପ୍ରକଳ୍ପ କାମ ତୁରନ୍ତ ସମ୍ପୁର୍ଣ୍ଣ କରିବାକୁ ଯୋଜନା ରଖିଛି । ଏଭଳି ସ୍ଥିତିରେ ଆଜି ସାଂସଦ, ବିଧାୟକ, ପ୍ରକଳ୍ପ ଅଞ୍ଚଳର ସରପଞ୍ଚ,ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଜନ ସଚେତନ ମଞ୍ଚ,ବିସ୍ଥାପିତ ସହାୟତା ସମିତି ସଦସ୍ୟ ସମେତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲେ । ପ୍ରକଳ୍ପ କାମ ଆରମ୍ଭ ହେବାର ୨୦ ବର୍ଷ ବିତି ଯାଇଥିଲେ ବି ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ । ଏବେ ଅନେକ ପ୍ରକୃତ ବିସ୍ଥାପିତ ଥାଇଥାନ ରାଶି ପାଇନପାରି ଦୁଃଖଦ ଜୀବନ ଅତିବାହିତ କରୁଛନ୍ତି । ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଓ ଦଲାଲ ରାଜ ଯୋଗୁଁ ଜାଲ ବିସ୍ଥାପିତ ନାଁରେ କୋଟି କୋଟି ଟଙ୍କା ହରିଲୁଟ କରୁଛନ୍ତି । ଏବେ ବି ପ୍ରକଳ୍ପ ଗର୍ଭ ଭିତରେ ଅନେକ ବିସ୍ଥାପିତ ଥଇଥାନ ପାଇଁ ଚାତକ ଭଳି ଚାହିଁ ବସିଛନ୍ତି । ମରି ଯିବୁ ପଛେ ଭିଟା ମାଟି ଛାଡିବୁ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଛନ୍ତି । ଚାଷ ଜମିକୁ ଶାଗ ମାଛ ଦରରେ ପାଉଣା ଦେଇ ଜମିକୁ ଅଧିଗ୍ରହଣ କରିଥିଲେ । ସେହି ଟଙ୍କାରେ ବିସ୍ଥାପିତ ମାନେ କୌଣସି ସ୍ଥାନରେ ଚାଷ ଜମି ଖଣ୍ଡିଏ କିଣି ପାରିନଥିଲେ । ଚାଷ ଜମି ହରାଇ ଚାଷି ପରିବାର ସର୍ବହରା ହୋଇଛନ୍ତି । ଏବେ ଚାଷ ଜମିର ବର୍ଦ୍ଧିତଦର ପ୍ରଦାନ କରିବାକୁ ବିସ୍ଥାପିତ ମାନେ ଦାବୀ କରିଥିଲେ । ପ୍ରକଳ୍ପରେ ଜମି ଓ ଘର ହରାଇ ଶତାଧିକ ଯୁବକ ଯୁବତୀ ନିଜ ଥଇଥାନ ପାଇ ନାହାନ୍ତି । ବିସ୍ଥାପିତ ମାନେ ଜମିବାଡି ଘର ଦ୍ୱାର ହରାଇ ବିଭିନ୍ନ ଗାଁରେ ଜନବସତି କରି ବସବାସ କରୁଛନ୍ତି । ସେଠି ସରକାର ତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ଏବେ ବି ବିସ୍ଥାପିତ ମାନଙ୍କୁ ସରକାର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଛନ୍ତି । ପାନୀୟ ଜଳ, ବିଜୁଳି, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ସୁଯୋଗରୁ ବଞ୍ôଚତ ହୋଇ ଅସହାୟ ଜୀବନ ଅତିବାହିତ କରୁଛନ୍ତି । ବିସ୍ଥାପିତ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଯୋଗାଇ ଦେବାର ନିୟମ ରହିଥିଲେ ବି ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଯୁବକ ଯୁବତୀ ମାନେ ରୋଜଗାର ହରାଇ ବେକାରୀ ବୁଲୁଛନ୍ତି । ଏଭଳି ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରନ୍ତୁ ଓ ପରେ ପ୍ରକଳ୍ପ ନିର୍ମାଣ କାମ ସମ୍ପୁର୍ଣ୍ଣ କରି ଉଦଘାଟନ କରନ୍ତୁ ବୋଲି ବିସ୍ଥାପିତ ମାନେ ଦାବୀ କରିଥିଲେ । ତେବେ ତୁରନ୍ତ ବିସ୍ଥାପିତ ଓ କ୍ଷତିଗ୍ରସ୍ତଙ୍କ ସମସ୍ୟାର ସମାଧାନ କରାଯିବ । ଏଣୁ ପ୍ରକଳ୍ପ ନିର୍ମାଣ କାମରେ ସମସ୍ତେ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଅନୁରୋଧ କରିଥିଲେ । ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ବିସ୍ଥାପିତ ନେତା ନିଲକଣ୍ଠ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ଅଲେଖ ମାଝି, କରୁଣାକର ହୋତା, କିଶୋର କଠାର, ଯଦୁମଣୀ ପାଣିଗ୍ରାହୀ, ଅମରେଶ ପଟ୍ଟନାୟକ, ଇଶ୍ୱର ନାଏକ, ତୁକାରାମ ଶଗରିଆ, ନବିନ ପ୍ରଧାନ, ଗୋପିନାଥ ଗୌଡ, ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.