-ପଥଚାରୀଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କଲା ପୋଲିସ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆମ୍ବୁଲାନ୍ସର ଘୋର ଅଭାବ ପରିଲିକ୍ଷିତ ହୋଇଛି । ଆମ୍ବୁଲାନ୍ସ ସେବା ନ ମିଳିବାରୁ ପଥଚାରୀଙ୍କ ସହାୟତାରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପୋଲିସ କର୍ମଚାରୀମାନେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡିଛି । ଏପରି ଏକ ଅଭାବ ଘଟଣା ଦୁର୍ଘଟଣା ଘଟିବା ପରେ ସାମନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ସହରର ରାମସାଗର ରୋଡ୍ ସ୍ଥିତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ମୋଟର ସାଇକେ ମଧ୍ୟରେ କୌଣସି କାରଣରୁ ଧକ୍କା ଘଟିଥିଲା । ଆହତ ମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ରାସ୍ତାରେ ପଡି ଛଟପଟ ହେଉଥିବା ବେଳେ ଏହି ରାସ୍ତା ଦେଇ ଯାଉଥିବା ସତ୍ୟନାରାୟଣ ମିଶ୍ର ନାମକ ଜଣେ ବ୍ୟକ୍ତି ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ପରିଚାଳକ ଜଣକ ବହୁ ସମୟ ଫୋନରେ ଅପେକ୍ଷା କରାଇବା ପରେ ଉତ୍ତର ଦେଇଥିଲେ ଯେ, ବର୍ତ୍ତମାନ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଆମ୍ବୁଲାନ୍ସ ଉପଲବ୍ଧ ନାହିଁ, ୨୬ କିମି ଦୂରରେ ଥିବା କାଶୀନଗର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆମ୍ବୁଲାନ୍ସ ଆସିବ । ଏପରି ଉତ୍ତର ପାଇ ଶ୍ରୀ ମିଶ୍ର ହତବାକ ହୋଇଥିବାର ଜଣାଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ୨୬ କିମି ଦୂରରେ ଥିବା ସ୍ଥାନରୁ ଆମ୍ବୁଲାନ୍ସ ଆସି ଏମାନଙ୍କୁ ଉଦ୍ଧାର କରି ଚିକିତ୍ସା ନେବା ବେଳେ କେତେ ସମୟ ଲାଗିବ ? ଯଦି ଦୁର୍ଘଟଣାଗ୍ରସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥାଏ ଏ ଭଳି ପରିସ୍ଥିତିରେ କଣ ହେବ ? ଏଭଳି ବହୁ ପ୍ରଶ୍ନବାଚୀ ସାଧାରଣରେ ସୃଷ୍ଟି ହେଉଛି।
ଘଟଣା ସମ୍ପର୍କରେ ପାରଳାଖେମୁଣ୍ଡି ପୋଲିସ ସୂଚନା ପାଇ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଯାଇ ପଥଚାରୀଙ୍କ ସହାୟତାରେ ଉଦ୍ଧାର କରି ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଏ ନେଇ ୧୦୮ ଆମ୍ବୁଲାନ୍ସର ଗଜପତି ଜିଲ୍ଲା ପରିଚାଳକ ପ୍ରଦୀପ କୁମାର ରାମଙ୍କୁ ପଚାରିବାରେ କହିଛନ୍ତି, ଜିଲ୍ଲାରେ ସମୁଦାୟ ୧୪ ଗୋଟି ୧୦୮ ଆମ୍ବୁଲାନ୍ସ ସ୍ୱାସ୍ଥ୍ୟ କେନ୍ଦ୍ର ସକାଶେ ଦିଆଯାଇଛି । ଯେଉଁଥିରୁ ମୁଖ୍ୟ ଚିକିତ୍ସାଳୟରେ କେବଳ ଗୋଟିଏ ଆମ୍ବୁଲାନ୍ସ ରହୁଛି । ତାହା କୌଣସି ସତ୍ୱେ ରୋଗୀ ନେଇ ବ୍ରହ୍ମପୁର ବଡଡାକ୍ତର ଖାନା କିମ୍ବା ଅନ୍ୟ କୌଣସି ରୋଗୀଙ୍କ ଆଣିବା ପାଇଁ ଚାଲିଗଲେ ଶେଷରେ ବାଧ୍ୟ ହୋଇ ନିକଟସ୍ଥ ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ରହିଥିବା ୧୦୮ ଆମ୍ବୁଲାନ୍ସକୁ ତୁରନ୍ତ ଖବର ଦିଆଯାଉଛି । ଯଦି ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ସରକାର ପକ୍ଷରୁ ବାରମ୍ବାର ସ୍ୱାସ୍ଥ୍ୟ କାର୍ଯ୍ୟ ସକାଶେ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ ମଞ୍ଜୁର କରାଯାଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କେବଳ ଗୋଟିଏ ଆମ୍ବୁଲାନ୍ସ ରହିବାର କାରଣ କଣ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।