ରାଜ୍ୟରେ ଖୋଲିବ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର

177

ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୬୭ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ବିଧାନସଭାରେ କହିଛନ୍ତି । ଶନିବାର ଦିନ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଙ୍ଗନବାଡି ସମ୍ପର୍କିତ ପ୍ରଶ୍ନର ଉତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ରାଜ୍ୟରେ ୬୨ହଜାର ୧୭୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି ।

ଏହାଛଡ଼ା ୧୦୪୧୬ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଗଂଜାମ ଜିଲ୍ଲାରେ ସର୍ବାଧିକ ୫୦୭୫ ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ବାଲେଶ୍ୱରରେ ୩୬୮୭, ମୟୁରଭଂଜରେ ୩୬୮୦, ସୁନ୍ଦରଗଡରେ ୩୦୧୦ ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ଅପରପକ୍ଷରେ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ୫୭୨ ଟି ଅଙ୍ଗବାଡି କେନ୍ଦ୍ର ରହିଛି । ସେହିପରି ମୟୁରଭଂଜ ଜିଲ୍ଲାରେ ସର୍ବାଧିକ ୧୨୦୦ଟି ଓ ଅନୁଗୁଳ ଜିଲ୍ଲାରେ ସର୍ବନିମ୍ନ ୩୨ଟି ମିନି ଅଙ୍ଗନବାଡି କେନ୍ଦ୍ର ରହିଛି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ୭୮୪୪ଟି ନୂଆ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ତେବେ କେନ୍ଦ୍ର ସରକାର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି ଆମ ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୃଷ୍ଟି ଦେଖା ଯାଉଥିବା ଅଂଚଳରେ ବର୍ତମାନ ୧୫୬୭ ନୂଆ ଅଙ୍ଗନବାଡ଼ି ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି ।

ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ବର୍ତମାନ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଛି । ମନରେଗାରେ ୫ ଲକ୍ଷ ଟଙ୍କା ଆଉ ୨ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସହରାଂଚଳରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି, ସେଠି କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୁଷ୍ଟି ସାଧନ ପାଇଁ ଅଙ୍ଗନବାଡ଼ିରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ବୋଲି ବି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.