ଭୁବନେଶ୍ୱର,୧୭ା୧୨ : ବିଳମ୍ବରେ ହେଉ ପଛେ, ସାରା ରାଜ୍ୟରେ ଶୀତର ପ୍ରକୋପ ଅନୁଭୂତ ହୋଇଛି। ସକାଳ ବେଳା ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ବେଳେ ଭୀଷଣ ଜାଡ଼ ମାଡ଼ିଆସୁଛି। କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅ•ନକ ହ୍ରାସ କାରଣରୁ ଶନିବାର ରାଜ୍ୟବାସୀ ଶୀତରେ ଥରୁଛନ୍ତି। ଶନିବାର ରାଜ୍ୟର ୬ ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ଅଧିକାଂଶ ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଛି। ଆସନ୍ତା କିଛି ଦିନ ରାଜ୍ୟରେ ଏପରି ଶୀତ ପ୍ରବାହ ଜାରି ରହିବୟ ୧୭ ଓ ୧୮ତାରିଖରେ ରାଜ୍ୟର କେତେକ ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସୂଚନାନୁଯାୟୀ, ୮.୩ ଡିଗ୍ରୀ ରାତ୍ରି ତାପମାତ୍ରା ସହ ସୁନ୍ଦରଗଡ଼ର କିରେଇ ସବୁଠୁ ଥଣ୍ଡା ସ୍ଥାନ ପାଲଟିଥିବା ବେଳେ ଦ୍ୱିତୀୟରେ ୮.୪ ଡିଗ୍ରୀ ସହ ରହିଛି କନ୍ଧମାଳର ଜି. ଉଦୟଗିରି। ସେହିପରି ଫୁଲବାଣୀରେ ୮.୫ଡିଗ୍ରୀ, କୋରାପୁଟରେ ୯.୫ଡିଗ୍ରୀ, ଭଦ୍ରକର ରାଣୀତାଲରେ ୯.୬ଡିଗ୍ରୀ, ରାଉରକେଲାରେ ୯.୮ଡିଗ୍ରୀ ରହିଛି। ସେହିପରି ସମ୍ବଲପୁର ଚିପିଲିମା, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳର ଦାରିଙ୍ଗିବାଡ଼ିରେ ୧୦ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ତାପମାତ୍ରା ୧୦.୨ଡିଗ୍ରୀ ରହିଛି। ଆସନ୍ତାକାଲି କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର କୁହୁଡ଼ି ଅନୁଭୂତ ହୋଇପାରେ। ସେହିପରି ୧୮ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ସୁନ୍ଦରଗଡ଼,କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଅପରପକ୍ଷେ ଚଳିତବର୍ଷ ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକର ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି। ଭୁବନେଶ୍ୱରରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକର ରାତି ତାପମାତ୍ରା ୧୩.୫ଡିଗ୍ରୀ ରହିଛି।
Sign in
Sign in
Recover your password.
A password will be e-mailed to you.