ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ସେବା ସମବାୟ ସମିତିର ଶାଖା ପରିଚାଳକ ତଥା ମ୍ୟାନେଜରଙ୍କ ବ୍ୟବହାରରେ ଅତିଷ୍ଠ ହୋଇପଡିଲେଣି ଗ୍ରାହକ । ବ୍ୟାଙ୍କ କର୍ମଚାରୀ ମାନେ ଗ୍ରାହକ ମାନଙ୍କୁ ଇଶ୍ବର ବୋଲି ଭାବିବା ଉଚିତ୍ । ଏନେଇ କର୍ମଚାରୀ ମାନଙ୍କୁ ତାଲିମ ବେଳେ ମଧ୍ୟ ଗ୍ରାହକଙ୍କୁ କିଭଳି ଉତମ ବ୍ୟବହାର କରାଯିବ ସେ ନେଇ କୁହାଯାଇଛି । ତେବେ ଏହି ଶାଖା ପରିଚାଳକ ସେସବୁ କିଛି ମାନୁନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ, କୋଦଳା ସେବା ସମବାୟ ସମିତି ବ୍ୟାଙ୍କର ପରିଚାଳକ ନାରାୟଣ ପଟ୍ଟନାୟକ ପ୍ରତିଦିନ ବ୍ୟାଙ୍କକୁ ବିଳମ୍ବରେ ଆସୁଛନ୍ତି । ଅନ୍ୟ କର୍ମଚାରୀ ମାନେ ଉଚିତ୍ ସମୟରେ ଆସୁଥିବା ବେଳେ ମ୍ୟାନେଜର ମହାଶୟ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଗ୍ରାହକଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା, ବିରକ୍ତି ପ୍ରକାଶ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏହି ବ୍ୟାଙ୍କକୁ ଗରିବ, କୃଷକ ଶ୍ରେଣୀର ମହିଳା ଓ ପୁରୁଷ ଆସୁଥିବା ବେଳେ ସେମାନଙ୍କୁ ଅଯଥାରେ ବିଭିନ୍ନ କାର୍ଯ୍ୟକୁ ନେଇ ବାରମ୍ବାର ଦଉଡାଉଥିବା ମଧ୍ୟ ଅଭିଯୋଗ ହୋଇଛି । କୋଭିଡ୍ କଟକଣାକୁ ନେଇ ବ୍ୟାଙ୍କର ସମୟ ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବାକୁ ନିର୍ଦ୍ଦେଶ ରହିଛି । ତେବେ ୧୧ ଟା ପରେ ବ୍ୟାଙ୍କରେ ମ୍ୟାନେଜରଙ୍କ ଦେଖା ମିଳୁଛି ।
ଅପରପକ୍ଷେ ଏହି ମ୍ୟାନେଜର ଦୁଇଟି ପଦବୀର ଦାୟୀତ୍ବରେ ରହିଥିବା ଜଣାପଡ଼ିଛି । ମ୍ୟାନେଜର ପଦବୀ ସାଙ୍ଗକୁ ଆକାଉଟେଣ୍ଟ ପଦବୀ ମଧ୍ୟ ସମ୍ଭାଳୁଥିବା ବେଳେ ବିଳମ୍ବରେ ଆସିବା ଏବଂ ଗ୍ରାହକଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ସମସ୍ତଙ୍କୁ ନିରାଶ କରିଛି । ଏଣୁ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି । ତେବେ ଏନେଇ ବ୍ୟାଙ୍କ ଶାଖା ପରିଚାଳକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ ।