ଆଦିବାସୀଙ୍କ ରୋଜଗାରିଆ ପୁଅ ସଲପ ଗଛ

192

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବସ ବାସ କରୁଥିବା ଆଦିବାସୀଙ୍କ ବିଭିନ୍ନ ଆୟ ପନ୍ଥା ମଧ୍ୟରୁ ସଲପ ଗଛ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।ଏଠାକାର ଆଦିବାସୀ ଚାଷୀ ଜଙ୍ଘଲ ଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଶ୍ରମ ଲାଗି ଯେତିକି ରୋଜଗାର କରେ ତା ତୁଳନାରେ ସଲପ ଗଛରୁ ଅଧିକ ରୋଜଗାର କରିଥାଏ । ଘର ବାରିପଟେ ଦୁଇ ତିନଟି ସଲପ ଗଛ ରହିଥିଲେ ବର୍ଷ ସାରା ଆଦିବାସୀ ପରିବାରର ଟଙ୍କାର ଅଭାବ ହୁଏ ନାହିଁ । ତେଣୁ ଆଦିବାସୀ ବହୁଳ ଗାଁର ଅଧିକାଂଶ ପରିବାର ସଲପ ଗଛ ଲଗାଇବାକୁ ପ୍ରାଧାନ୍ୟ ଦିଅନ୍ତି ଏବଂ ଅନ୍ୟ ଗଛ ତୁଳନାରେ ସଲପ ଗଛର ଅଧିକ ଯତ୍ନ ନେଇଥାନ୍ତି ।

ସଲପ ଗଛ ୧୨ ରୁ ୧୫ ବର୍ଷ ବଢିବା ପରେ ଗଛର ଫୁଲ ଧରିବା ଆରମ୍ଭ ହୁଏ । କଦଳୀ ଭଣ୍ଡା ଭଳି ଏହି ଗଛର କାଣ୍ଡ ତଳକୁ ଓହଳି ଆସିଥାଏ । ଏହାକୁ ଆଦିବାସୀ ଭାଷାରେ କେରାବୋଲି କୁହାଯାଏ । କେରା ତଳକୁ ଲମ୍ବିବାପରେ ତାହାର ଅଗକୁ କଟାଯାଏ । ଅଗ କଟା ଯିବାର ୧0 ଦିନ ପରେ ଖୋଲା ଛଡ଼ାଯାଇଥିବା କେରା ମୁହଁରେ ମାଟି ହାଣ୍ଡି ଟିଏ ବାନ୍ଧି ଛାଡିଦିଆଯାଏ । ଏହି କେରାରୁ ଟୋପାଟୋପା ହୋଇ ରସ ଝରି ବନ୍ଧାଯାଇଥିବା ହାଣ୍ଡିରେ ପଡିଥାଏ । ହାଣ୍ଡିଟି ଭର୍ତ୍ତି ହୋଇଯିବା ପରେ ଲୋକେ ତାହାକୁ କାଢ଼ିଆଣି ଆନନ୍ଦରେ ରସକୁ ପିଅନ୍ତି । ସାଧରଣତଃ ବଡି ସକାଳୁ ସଲପ ରସ ପିଇବାକୁ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ଦେଖାଯାଇଥାଏ । ଦ୍ବିପ୍ରହର ଏବଂ ସନ୍ଧ୍ୟା ପୂର୍ବରୁ ମଧ୍ୟ ଗଛରୁ ହାଣ୍ଡି ଆଣି ରସକୁ ବିକ୍ରୀ କରାଯାଏ । ସଲପ ରସ ଥଣ୍ଡା ପାନୀୟ ଭାବେ ବ୍ୟବହାର କରାଯାଉଥିବାରୁ ଏହାର ଚାହିଦା ଅଧିକ ଏବଂ ଏଥିରେ ନିଶା ହେଉଥିବାରୁ ଲୋକେ ବ୍ୟବସାୟ କରି ବେଶ ଭଲ ରୋଜଗାର କରନ୍ତି । ଏହାଛଡା ରସକୁ ଅଧିକ ନିଶାଯୁକ୍ତ କରିବାପାଇଁ ଏଥିରେ ବିଭିନ୍ନ ପ୍ରକାର ଚେର ମୂଳି ମଧ୍ୟ ମିଶାଯାଏ ।

ବର୍ଷା ଦିନ ପରେ ପରେ ଦଶହରା ସମୟରେ ସଲପ ଗଛରୁ ରସ ସଂଗ୍ରହ ପକ୍ରିୟା ଆରମ୍ଭ ହୋଇ ବର୍ଷା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ଚାଲିଥାଏ । ଆଦିବାସୀଙ୍କ ବିବାହ କିମ୍ବା ଘରକୁ କୁଣିଆ ଆସିଲେ ସଲପ ରସକୁ ଅଧିକ ଗୁରୁତ୍ୱ ଦିଆଯାଏ । ତେବେ ଗଛର ମାଲିକ ନିଜେ ଗଛରୁ ରସ ସଂଗ୍ରହ କରିନଥାନ୍ତି । ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ବ୍ୟକ୍ତି ରହିଥାନ୍ତି । ଯାହାକୁ ସ୍ଥାନିୟ ଭାଷାରେ ଜିଗିତିଆ ବୋଲି କୁହାଯାଏ । ଜିଗିତିଆ ସଲପ ଗଛରୁ ହାଣ୍ଡି କାଢ଼ିଆଣିବା ପରେ ମାଲିକ ସଲପ ବିକ୍ରୀ କରଥାନ୍ତି । ଏଥିପାଇଁ ଜିଗିତିଆ ସପ୍ତାହର ଗୋଟିଏ ଦିନର ଆୟକୁ ମଜୁରୀ ହିସାବରେ ପାଇଥାଏ । ଗାଁର ଦିଶାରୀ ମଧ୍ୟ ଗୋଟିଏ ଦିନର ଆୟକୁ ନେଇଥାନ୍ତି । ଇର୍ଷା ପରାୟଣ ବ୍ୟକ୍ତିଙ୍କ ଗୁଣିଗାରେଡି ପ୍ରଭାବରୁ ଗଛକୁ ରକ୍ଷା କରିବା ପାଇଁ ଦିଶାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯାଏ । ଜଣେ ନାମକରା ଜିଗିତିଆଙ୍କ କହିବା ହେଲା ଗୋଟିଏ ଦିନରେ ସେ ୧0 ରୁ ୧୫ଟି ଗଛରୁ ହାଣ୍ଡି କାଢ଼ିବା ସହ ହାଣ୍ଡି ବାନ୍ଧିଥାନ୍ତି । ତେବେ ସ୍ଥାନିୟ ଲୋକଙ୍କ କହିବା ହେଲା ଗୋଟିଏ ସଲପ ଗଛ ୧0 ରୁ ୧୨ ବର୍ଷ ପର୍ଯ୍ୟନ୍ତ ରସ ବାହାରୁଥିବାବେଳେ ବର୍ଷକୁ ପ୍ରାୟ ୫0 ହଜାର ଟଙ୍କା ଆୟ ହୁଏ ।

ମଦ ଭଳି ସଲପ ନିଶା ହେଉଥିବାରୁ ଆଦିବାସୀଙ୍କ ସହ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରିୟ ହୋଇଥିବାବେଳେ ଏହାକୁ ରୀତିମତ ବ୍ୟବହାର କରିଥାନ୍ତି । ଅନ୍ୟାନ୍ୟ ମଦରେ କେମିକାଲ ମିଶାଯାଉଥିବାରୁ ଅଧିକାଂଶ ସମୟରେ ତାହା ବିଷାକ୍ତ ହୋଇଥାଏ, ତାହାକୁ ପିଇ ବହୁଲୋକ ନାନାପ୍ରକାର ରୋଗରେ ପଡିବାସହ କେତେକଙ୍କର ମୃତ୍ୟୁ ଘଟିଥାଏ । ସଲପ ଗଛ ରସରେ ବିଷାକ୍ତ ଦ୍ରବ୍ୟ ନଥିବାରୁ ଏହାର କୁପ୍ରଭାବ ଶରୀର ଉପରେ ପଡ଼ିନଥାଏ । ପରିବାରର ଜଣେ ସଦସ୍ୟ ଭଳି ସଲପ ଗଛ ବର୍ଷତମାମ ଆଦିବାସୀ ପରିବାରକୁ ତେଲ ଲୁଣ ପାଇଁ ଟଙ୍କା ଯୋଗାଉଥିବାରୁ ପ୍ରତି ଗାଁରେ ଏହାକୁ ରୋଜଗାରିଆ ପୁଅ ସହ ତୁଳନା କରି ନିଜ ପୁଅ ପରି ଏହି ଗଛର ଯତ୍ନ ନେଇଥାନ୍ତି ।

Leave A Reply

Your email address will not be published.