ବର୍ଷା ଦିନେ ଗ୍ରାମବାସୀଙ୍କ ଏକମାତ୍ର ଭରସା ପାଇଖାନା

152

ଅମ୍ବାଦଳା/ରାୟଗଡା : ଘର ଭିତରେ ଗାଈ ଛେଳି ରହୁଥିବା ବେଳେ ପାଇଖାନାରେ ମଣିଷ । ଏ କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହିଁ ସମ୍ପୂର୍ଣ୍ଣ ସତ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ପଞ୍ଚାୟତର ଅନଯୋଡି ଗ୍ରାମ ର ନୂଆ ସାହି । ଅମ୍ବାଦଳା ପଞ୍ଚାୟତ ହେଡ କ୍ୱାଟରରୁ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମଟି । ଏହି ଗ୍ରାମରେ ୧୧ ପରିବାରରେ ପ୍ରାୟ ୬୨ ଜଣ ବସବାସ କରୁଥିବା ବେଳେ ସମସ୍ତେ ଅନୁସୂଚିତ ଜନଜାତିର ଅଟନ୍ତି । ୧୯୮୭-୮୮ ଆର୍ଥିକ ବର୍ଷରେ ଅନୁଦାନ ରାଶି ୧୦.୫୦୦ରେ ଗ୍ରାମବାସୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଥିଲା । ଦୀର୍ଘ ବର୍ଷ ହେବ ସେହି ଇନ୍ଦିରା ଆବାସ ଘର ଗୁଡ଼ିକର ଛାତରୁ ପାଣି ଗଳୁ ଥିବା ବେଳେ କାଁଥ ଗୁଡିକ ଜରାଜୀର୍ଣ୍ଣ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଅଛି । ଯାହାକି ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ମନରେ ଛନକା ପଶୁଛି । ବର୍ଷା ଦିନେ ଛାତରୁ ପାଣି ଗଳିବା ଦ୍ୱାରା ଘର ଭିତରେ କୃତିମ ବନ୍ୟା ସୃଷ୍ଟି ହୁଏ । ତେଣୁ ଲୋକମାନେ ନିଜ ପରିବାର ସହିତ ଅତି ଦୟନୀୟ ଅବସ୍ଥାରେ ଗୃହପାଳିତ ପଶୁ ଗାଈ, ଛେଳିମାନଙ୍କୁ ଘରେ ଛାଡ଼ି ଦେଇ ନିକଟରେ ଥିବା ପାଇଖାନା ଭିତରେ ଆଶ୍ରୟ ନେଇଥାନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି ।

ଆଜକୁ ଦୀର୍ଘଦିନ ହେବ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ହେଲେ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକମାନଙ୍କୁ ବାସଗୃହ ଯୋଗାଇ ଦେବା ନାଁରେ ମାଳ ମାଳ ଯୋଜନା କରିଛନ୍ତି । କିନ୍ତୁ ବ୍ଲକ ଅଧିକାରୀଙ୍କ ଖାମଖିଆଲ ନୀତି ଓ ଅଶିକ୍ଷିତ ସରଳ ଆଦିବାସୀମାନଙ୍କୁ ଅଣଦେଖା ନୀତି ଯୋଗୁଁ ହିତାଧିକାରୀମାନେ ଏହି ଯୋଜନାର ସୁଫଳ ନପାଇ ବର୍ଷା ଦିନେ ବାସଗୃହ ଛାଡି ପାଇଖାନାକୁ ଆଶ୍ରୟ ଗୃହ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏହି ଗ୍ରାମବାସୀଙ୍କ ସମସ୍ୟା ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ ଯାଇ ଅନୁଧ୍ୟାନ କରି ଘର ଯୋଗାଇଦେବା ଦୂରର କଥା ଖଣ୍ଡେ ଜରି ପାଲ ମଧ୍ୟ ମିଳିପାରିନାହିଁ ବୋଲି ଗ୍ରାମବାସୀ ବୁରୁନ୍ଦା ବଦଲିକା, ଲାଚ ବିଧର ବଦଳିକା, ଦନିଆ ବିଦ୍ରିକା, ପରମନ୍ଧ ଅନଙ୍କିଆ, ସିନ୍ଧୁ ଉଆଡେଲିକା,ମେନ୍ଦି ବିଦ୍ରିକା, କାଶୀ ତୁର୍ଳାକା ପ୍ରମୁଖ ଜଣାଇଛନ୍ତି ।

୨୦୨୧ ସୁଦ୍ଧା ସବୁ କଚା ଘରକୁ ପକା ଘରରେ ରୂପାନ୍ତରିତ କରିବାକୁ ସରକାର ଯୋଜନା କରିଥିବା ବେଳେ ଏଠି ଯୋଜନା ପାଲଟିଛି ପ୍ରହସନ । ତେଣୁ ଏହି ସରଳ ନିରୀହ ଆଦିବାସୀ ମାନଙ୍କର ସମସ୍ୟାକୁ ହୃଦୟଗମ କରି ଯଥା ଶୀଘ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଗ୍ରାମବାସୀଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.