ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ ପଞ୍ଜିକୃତ ସମସ୍ତ ଶ୍ରମିକଙ୍କୁ ୨୦୨୦-୨୧ ମସିହାର ଆର୍ଥିକ ସହାୟତା ଦେବା ପାଇଁ ଶ୍ରମମନ୍ତ୍ରୀଙ୍କ ପ୍ରତିଶ୍ରୁତି

152

ଭୁବନେଶ୍ୱର : ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦରେ ପଞ୍ଜିକୃତ ସମସ୍ତ ୨୯ ଲକ୍ଷ ଶ୍ରମିକଙ୍କୁ ୨୦୨୦ ଓ ୨୧ରେ କୋଭିଡ଼୍-୧୯ ସଂକ୍ରମିତ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତି ସିଂହ କହିଛନ୍ତି । ଆଇ.ଏନ୍.ଟି.ୟୁ.ସି.,ଏ.ଆଇ.ଟି.ୟୁ.ସି.,ଏଚ୍.ଏମ୍.ଏସ୍., ସି.ଆଇ.ଟି.ୟୁ.,ଏ.ଆଇ.ୟୁ.ଟି.ୟୁ.ସି, ଏ.ଆଇ.ସି.ସି.ଟି.ୟୁ.,ଟି.ୟୁ.ସି.ସି ଏବଂ ସେୱା ଏକ ପ୍ରତିନିଧିଦଳ ଆଜି ପୂର୍ବାହ୍ନରେ ରାଜ୍ୟ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଏକ ସ୍ମାରକ ପତ୍ର ଦେଇ ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପଞ୍ଜିକରଣ, ନବିକରଣ ଏବଂ ଜିଲ୍ଲାସ୍ତରରେ ହେଉଥିବା ଅହେତୁକ ବିଳମ୍ବ ସମ୍ବନ୍ଧରେ ଦୃଷ୍ଟି ଆକର୍ଷଣ କରିବା ଅବସରରେ ସେ ଏହି ପ୍ରତିଶୁତି ପ୍ରଦାନ କରିଥିବା ସଂପୃକ୍ତ ଶ୍ରମିକ ସଂଗଠନ ମାନେ ପ୍ରକାଶ କରିଛନ୍ତି ।

ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ କୁହା ଯାଇଛି ଯେ ସମସ୍ତ ନିର୍ମାଣ ଶ୍ରମିକ ୨୦୨୦ ଓ ୨୧ ମସିହାର ଆର୍ଥିକ ସହାୟତା ଦେବା ସହିତ ଜିଲ୍ଲା ସ୍ତରରେ ପଞ୍ଜିକରଣ, ନବୀକରଣ ଓ ବିିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ପଡ଼ିରହିଥିବା ଦରଖାସ୍ତ ଗୁଡ଼ିକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବୀ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ଶ୍ରମ ମନ୍ତ୍ରୀଙ୍କୁ ଏକ ସ୍ମାରକର ପତ୍ର ଦିଆଯାଇଛି ।

କର୍ମଚାରୀ ରାଜ୍ୟ ବୀମା ନିଗମର ବିଭିନ୍ନ ସମସ୍ୟା କୋଭିଡ଼୍-୧୯ ସଂକ୍ରମିତ ସମୟରେ ସାରା ଓଡ଼ିଶାରେ ରାଜ୍ୟ ଇ.ଏସ୍.ଆଇ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ ଜରୁରୀ ଔଷଧର ଅଭାବ ଓ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଯୋଗୁଁ ହିତାଧିକାରୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଗଲା ଓ ମନ୍ତ୍ରୀ ଖୁବ୍ଶୀଘ୍ର ଇ.ଏସ୍.ଆଇ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ରାଜ୍ୟରେ ଓ ବିଭିନ୍ନ ଜିଲ୍ଲାରେ ଖାଲି ପଡ଼ିଥିବା ପଦବୀକୁ ପୁରଣ କରିବା ଓ ଶ୍ରମ ବିଭାଗର ବିଭିନ୍ନ କମିଟିର ତୁରନ୍ତ ବୈଠକ ଡାକିବା, ତାଳଚେର ଥର୍ମାଲର ନୂଆ କାରଖାନା ଆରମ୍ଭ କରିବା, ଶ୍ରମିକ ଛଟେଇ ସଂପୂର୍ଣ୍ଣ ବନ୍ଦ କରିବା, ନୀଳାଚଳ ଶ୍ରମିକ କର୍ମଚାରୀମାନଙ୍କୁ ୧୧ ମାସର ଦରମା ଦେବା, କାରଖାନାକୁ ଖୋଲି ଶ୍ରମିକମାନଙ୍କୁ ନିଯୁକ୍ତି ଦେବା, ବିର୍ଷା ଲାଇମ୍ ଷ୍ଟୋନର ଶ୍ରମିକମାନଙ୍କର ୩ ବର୍ଷର ଦରମା ପୈଠ କରିବା ଏବଂ ବଡ଼ବିଲ ଅଂଚଳରେ ଓ.ଏମ୍.ଡ଼ି.ସି ଅଧିନରେ ଥିବା ୬ଟି ଖଣି ଚାଲୁ ନ ହେବା ଫଳରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଅଂଚଳର ହଜାର ହଜାର ଆଦିବାସୀ ଶ୍ରମିକ ଜୀବନ ଜୀବିକା ହରାଇଥିବା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାରେ ପ୍ରବାସୀ ଶ୍ରମିକ, ଅସଂଗଠିତ ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କର ପଞ୍ଜିକରଣ, ନବିକରଣ ଜୁଲାଇ ୩୧ ତାରିଖ ମଧ୍ୟରେ କରିବା ପାଇଁ ଦାବୀ କରାଯାଇଛି । ଉକ୍ତ ଆଲୋଚନାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ଏ.ଆଇ.ଟି.ୟୁ.ସିର ରାମକୃଷ୍ଣ ପଣ୍ଡା, ଏଚ୍.ଏମ୍.ଏସ୍.ର ବିରେନ୍ଦ୍ର ପ୍ରତାପ ଦାସ, ସି.ଆଇ.ଟି.ୟୁର ଦୁଷ୍ମନ୍ତ ଦାସ, ଏ.ଆଇ.ଟି.ୟୁ.ସିର ପୂର୍ଣ୍ଣଚନ୍ଦ୍ର ବେହେରା, ଏ.ଆଇ.ସି.ସି.ଟି.ୟୁ.ର ରାଧାକାନ୍ତ ସେଠୀ, ଟି.ୟୁ.ସି.ସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେୱାର ପରିଲତା ମହାପାତ୍ର, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାଧାରଣ ସଂପାଦକ କିଶୋର ଜେନା ଓ ଉପସଭାପତି ମଦନ ମୋହନ ଧଳ ଏବଂ ଏଚ୍.ଏମ୍.ଏସ୍ ଶ୍ରୀ ମନୋରଞ୍ଜନ ମହାରଣା, ମହେନ୍ଦ୍ର ପରିଡ଼ା ଓ ରାଜକିଶୋର ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.