ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଡୁମୁଡୁମା ବିଦ୍ୟୁତ ଅଫିସ ଘେରିଲା ବିଜେପି

153

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅହେତୁକ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଜୁଳି କାଟ୍ ଏବଂ ଲୋ ଭୋଲଟେଜ ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନମଣ୍ଡଳୀର ଖଣ୍ଡଗିରି ମଣ୍ଡଳରୁ ଏକ ରାଲି ବାହାରି ଡୁମୁଡୁମା ବିଦ୍ୟୁତ ଅଫିସ ଘେରାଓ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଓଇଆରସିର ବିଦ୍ୟୁତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ ୪,୨୦୨୧ରୁ ରାଜ୍ୟ ସରକାର ବିଦ୍ୟୁତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଗତ ୬ ମାସରେ ଓଇଆରସି ୟୁନିଟ ପିଛା ପାଖାପାଖି ୫୦ ପଇସା ଦର ବୃଦ୍ଧି କରିଛି । ରାଜ୍ୟ ସରକାର ଏବଂ ଓଇଆରସି ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବାରୁ ବିଦ୍ୟୁତ ଦର ବୃଦ୍ଧି ନେଇ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ।

ବିଗତ ଦିନରେ ବିଭିନ୍ନ ପ୍ରାକୃତି ବିପର୍ଯ୍ୟୟ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ଏହା ସହ ରାଜ୍ୟ ସରକାର ଘରୋଇ କମ୍ପାନୀ ପ୍ରୀତି ଛାଡି ବର୍ଦ୍ଧିତ ବିଦ୍ୟୁତ ଶୁଳ୍କକୁ କମ୍ କରନ୍ତୁ ବୋଲି ଶ୍ରୀ ସିଂ ଦାବି କରିଛନ୍ତି ।

ଏହି ପ୍ରତିବାଦ ସଭାରେ ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ନୟାପଲ୍ଲୀ ମଣ୍ଡଳ ସଭାପତି ଜଗନ୍ନାଥ ବେହେରା, ଜିଲ୍ଲା ସାଧାରଣ ସଂପାଦକ ହିମାଂଶୁ ଛୋଟରାୟ, ଅଭିଷେକ ଆଚାର୍ଯ୍ୟ, ବିଜେପି ନେତା କାର୍ତିକ ସୁନ୍ଦରାୟ, ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ କୁମାର ପଶ୍ଚିମ କବାଟ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ଏବଂ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.