କୋଟପାଡ଼ : ଗତକାଲି ଶହ ଶହ ଝିଅ କୋଟପାଡ଼ ବସଷ୍ଟାଣ୍ଡରେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ କଟକକୁ । ସେମାନେ ସିଲେଇ ତାଲିମ ଗ୍ରହଣ କରିବା ପାଇଁ କୋଟପାଡ଼ ବ୍ଲକର ବିଭିନ୍ନ ଗ୍ରାମରୁ ଆସି ଏକତ୍ରିତ ହୋଇଥିଲେ । ଆଗରୁ ଭି ଅନେକ ଝିଅ ଯାଇ ସିଲେଇ ତାଲିମ ନେଇଛନ୍ତି କଟକରେ ବୋଲି ଖବର ନେବାରୁ ଜଣାପଡିଛି । ତେବେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଦୀନଦୟାଳ କୌଶଳ ଯୋଜନାର କାର୍ଯ୍ୟକାରିତାରେ ନିଶ୍ଚିତ ଭାବେ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ । କେନ୍ଦ୍ରସରକାରଙ୍କର କୌଶଳ ବିକାଶ ଯୋଜନା କୋରାପୁଟ ଅଂଚଳରେ ଅପହଞ୍ଚ ରହିଲା କହିଲେ କିଛି ଭୁଲ ହେବ ନାହିଁ । ଏହି ଯୋଜନାରେ ତାଲିମର ଅବଧି ୩ ମାସରୁ ୧୨ ମାସ ପର୍ଯ୍ୟନ୍ତ ହୋଇଥିବା ବେଳେ ଶତକଡ଼ା ୫୦ ଭାଗ ଅନୁସୂଚିତ ଜାତି ଓ ଜନଜାତି, ଶତକଡ଼ା ୧୫ ଭାଗ ସଂଖ୍ୟାଲଘୁ ଓ ଶତକଡ଼ା ୩୩ ଭାଗ ମହିଳାମାନଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଏଥିସହ ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ହେବା ସକାଶେ ମାଗଣାରେ ତାଲିମ ବ୍ୟବସ୍ଥା କରାଯାଇଛି ।
ଉପକୂଳବର୍ତୀ ଜିଲ୍ଲା କେନ୍ଦ୍ର ଯୋଜନାର ଲାଭ ଉଠାଇବା ଜାଣିଛନ୍ତି । ଯେହେତୁ ସେହି ଅଂଚଳରେ ଏହି ଯୋଜନା ସକାଶେ ପ୍ରଶିକ୍ଷାର୍ଥୀ ଅଭାବ କିନ୍ତୁ କର୍ମଶାଳା ଯଥେଷ୍ଟ ଗଢିଉଠିଛି ସେମାନେ କୋରାପୁଟ ଜିଲ୍ଲାରୁ ପ୍ରଶିକ୍ଷାର୍ଥୀ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଲାଭ ଉଠାଉଛନ୍ତି । ଏହି ଯୋଜନା ଗରିବ ଆଦିବାସୀ ସମ୍ପ୍ରଦାୟଙ୍କ ସକାଶେ ମଧ୍ୟ ଉଦ୍ଧିଷ୍ଟ କର୍ମଜୀବୀ ଗଠନ କରିବା ସକାଶେ । ଏହିପରିଭାବେ ପ୍ରଶିକ୍ଷଣ କେନ୍ଦ୍ର କୋଟପାଡ଼ ବ୍ଲକ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କରାଯିବା ପାଇଁ କାହିଁକି ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି ବିଭିନ୍ନ ମହଲରେ ଦାବୀ ଉଠିବା ଆରମ୍ଭ ହୋଇଗଲାଣି । ଯଦି ପ୍ରଶିକ୍ଷଣ ଦେବେ ତାହେଲେ ଆମ ଅଂଚଳରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲନ୍ତୁ ଯାହା ଦ୍ୱାରା କୋରାପୁଟ ଜିଲ୍ଲାର ଯୁବପିଢ଼ି ଲାଭବାନ ହେବେ । ଆମ ଆଦିବାସୀ ଭଉଣୀମାନେ ଗାଁ ଠାରୁ ଦୂରକୁ ନ ଯାଇ ମଧ୍ୟ ରୋଜଗାରଭିତିକ ପ୍ରଶିକ୍ଷଣ ନେଇ ପାରିବେ । ଯେହେତୁ କୋଟପାଡ଼ ବ୍ଲକ ରାଜଧାନୀ ଠାରୁ ୬୦୦ କିମି ଦୂରରେ ଅବସ୍ଥିତ ଓ ଏହା ଏକ ଉପାନ୍ତ ଅଞ୍ଚଳ ହୋଇଥିବାରୁ କୌଶଳ ଯୋଜନାର ଅଧିକ ଲାଭ ପ୍ରଶିକ୍ଷାର୍ଥୀମାନେ କୋଟପାଡ଼ ଅଞ୍ଚଳରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହେଲେ ନିଶ୍ଚୟ ଲାଭ ପାଇ ପାରିବେ ଏଥିରେ ସନ୍ଦେହର ଅବକାଶ ନାହିଁ । ଜିଲ୍ଲା ଭାଜପା ସମ୍ପାଦକ ଶ୍ରୀ ରାମେଶ୍ୱର ଜେନା କୋଟପାଡ଼ଠାରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବାକୁ ଦାବୀ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା କୋଟପାଡ଼ ଅଞ୍ଚଳରେ କୌଶଳ ଯୋଜନାର ତାଲିମ କେନ୍ଦ୍ର ସ୍ଥାପନ ପାଇଁ କେବେ ପଦକ୍ଷେପ ଗ୍ରହଣ କରାଯାଉଛି ନା ଏହିପରି ଉପକୂଳବର୍ତ୍ତି ଜିଲ୍ଲାକୁ ଯାଇ ପ୍ରଶିକ୍ଷାର୍ଥୀମାନେ ତାଲିମ ନେଉଥିବେ ।