ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡିଲେ ଜଣେ ସାମ୍ବାଦିକଙ୍କ ସମେତ ୫ ଗଞ୍ଜେଇ ଚାଲାଣ କାରୀ । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଓ.ଆଇ.ସି କମଳାକାନ୍ତ ବସନ୍ତ କୁମାର କହଁରଙ୍କ ନେତୃତ୍ବରେ ପୋଲିସ ଏକ ଟିମ ଝରିଆଗୁଡା ଠାରେ ଗାଡି ଯାଞ୍ଚ କରୁଥିବା ସମୟରେ ପିକପ ଗାଡି ଓ ଏକ କାର ଦୃତ ଗତିରେ ଜୟପୁର ଅଭିମୁଖେ ଯାଉଥିବା ବେଳେ ପୋଲିସ ପ୍ରଥମେ ଗାଡି ଗୁଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ସମ୍ପୃକ୍ତ ଗାଡି ଚାଳକ ମାନେ ଗାଡି ନ ଅଟକାଇ ଦୃତ ଗତିରେ ଜୟପୁର ଅଭିମୁଖେ ଚାଲି ଯାଇଥିଲେ । ଚେକିଙ୍ଗ ଦାଇତ୍ୱରେ ଥିବା ପୋଲିସ ମାନେ ଉକ୍ତ ଗାଡି ଗୁଡିକୁ ପିଛା କରି ଧରିବାରେ ସକ୍ଷମ ହୋଇଥିଲେ ।

ଏହାପରେ ଗାଡି ଗୁଡିକର ଯାଞ୍ଚ କରିବା ସମୟରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲେ । ଏହା ପରେ ଉକ୍ତ ୨ଟି ଗାଡି ଓ ଗାଡିରେ ଥିବା ୫ ଜଣ ବ୍ୟକ୍ତିଙ୍କୁ ମୁଦୁଲିପଡା ଥାନାକୁ ନେଇ ପଚରା ଉଚରା କରିବା ପରେ ସେହି ଗଞ୍ଜେଇ ସେମାନେ ଚିତ୍ରକୋଣ୍ଡା ଅଞ୍ଚଳରୁ ବାହାର ରାଜ୍ୟକୁ ନେଉଥିବା ସ୍ୱୀକାର କରୁଥିଲେ । ପଚରା ଉଚରା ସମୟରେ ଏହି ୫ ଜଣଙ୍କ ମଧ୍ୟରେ ଜଣେ ସାମ୍ବାଦିକ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲେ ।