ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

164

ପୁରୀ : କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଆଜି ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି । ଏହା ସୁନାବେଶର ଅନୁରୂପ । ଅତୀତରେ ଓଡ଼ିଶାର ବହୁ ରାଜା, ଜମିଦାର ଓ ସାମନ୍ତ ବର୍ଗ ଶ୍ରୀମନ୍ଦିରକୁ ଆଗମନ ପୂର୍ବକ ଦାରୁବ୍ରହ୍ମ ରୂପୀ ଶ୍ରୀବିଗ୍ରହମାନଙ୍କର ଏହି ରାଜ ବେଶ ଦର୍ଶନରେ ପରମ ସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ଠାକୁରମାନଙ୍କର ଉଦ୍ଦେଶ୍ୟରେ ନାନାଦି ରତ୍ନ ଅଳଙ୍କାର ଦାନ କରୁଥିଲେ । ମୟୁରଭଞ୍ଜର ରାଜା ଓ ପାରଳାଖେମୁଣ୍ଡି ରାଜ୍ୟର ଗଜପତିମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରଭୁଙ୍କୁ ସୁନିଆ ଭେଟିଦେଇ ମହୋତ୍ସବ କରାଉଥିବା ଜଣାଯାଏ । ଉତ୍କଳର ରାଜା ସାମନ୍ତରାଜାଙ୍କ ପକ୍ଷେ ଏହି ବେଶ ଅତ୍ୟନ୍ତ ପବିତ୍ର ଓ ଦର୍ଶନୀୟ ଥିଲା । ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ରାଜବେଶରେ ସଜାଇଥାନ୍ତି ।

ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିଥାନ୍ତି । ଏହି ବେଶରେ ଗୋପାଳ ବଲ୍ଲଭ, ସକାଳଧୂପ ଓ ଭୋଗମଣ୍ଡପ ଆଦି ନୀତି ଶେଷହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଥାଏ ।

ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ, ଦର୍ଶନରୁ ବଂଚିତ ଭକ୍ତ :

ଧର୍ମ ମାସ ପବିତ୍ର କାର୍ତିକ ମାସ ପଚୁଂକର ଅନ୍ତିମ ଦିବସ ପୂର୍ଣ୍ଣମୀ ତିଥିରେ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉମାନଙ୍କ ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ପୁଷ୍ପାଳକ ସେବକମାନେ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉମାନଙ୍କୁ ରାଜାଧିରାଜ ବେଶରେ ଭୂଷିତ କରିଛନ୍ତି । ଏହି ବେଶରେ ଶ୍ରୀଜୀଉଙ୍କ ସକାଳଧୂପ, ଭୋଗମଣ୍ଡପ ଧୂପ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚଳିତବର୍ଷ ମଧ୍ୟ ସର୍ବସାଧାରଣଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ଏହି ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ରହିଛନ୍ତି ।

ରାଜରାଜେଶ୍ୱର ବେଶରେ ଶ୍ରୀବିଗ୍ରହମାନଙ୍କୁ ଶ୍ରୀଭୂଜ, କିରିଟ, ଶ୍ରୀପୟର, ଓଡିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ରୂପାଶଙ୍ଖ, ଚକ୍ର, ହଳ ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡାମାଳ, କଦମ୍ବମାଳି, ହରିଡା କଦମ୍ବ ମାଳି, ବାହାଡାମାଳି, ତାବିଜ ମାଳି, ବାଘନଖ ମାଳି, ସେବତୀ ମାଳି ଲାଗି ହୋଇଛି । ପାଳିଆ ସେବାୟତ ମାନେ କରୋନା କଟକଣାକୁ ଅନୁପାଳନ କରି ଅନ୍ୟାନ୍ୟ ନୀତିକାନ୍ତି ଜାରୀ ରଖିଛନ୍ତି । ସମୁଦ୍ର କୂଳ ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଏସବୁ ସ୍ଥାନରେ ଡ଼ଙ୍ଗାଭସାକୁ ବାରଣ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ପଚୁଂକର ପ୍ରଥମ ଦିନ ଅର୍ଥାତ୍ ବଡ଼ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ, ଦ୍ୱିତୀୟ ଦିବସରେ ବାଙ୍କଚୂଡ଼ ବେଶ, ତୃତୀୟ ଦିବସରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିବସରେ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.