ଯୁଦ୍ଧଭୂମିକୁ ଓହ୍ଲାଉଛନ୍ତି ରୁଷ୍‌ର ପିଲା

468

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ୫୦ରୁ ଅଧିକ ଦିନ ହୋଇଗଲାଣି। ତଥାପି ରୁଷ୍‌ ପଛକୁ ହଟୁନି। ୟୁକ୍ରେନ ଉପରେ ଆକ୍ରମଣ ଦିନକୁ ଦିନ ତୀବ୍ର କରି ଚାଲିଛି। ଏହାରି ଭିତରେ ଏକ ଖବର ଆସିଛି କି, ରୁଷ୍‌ ଏବେ ୟୁକ୍ରେନରେ ନିଜ ସୈନିକଙ୍କ ସଂଖ୍ୟା ବଢ଼ାଇବା ପାଇଁ ପିଲାମାନଙ୍କୁ ବ୍ୟବହାର କରୁଛି। ହ୍ୟୁମାନ ରାଇଟ୍‌ସ ଅର୍ଗାନାଇଜେସନର କହିବା ହେଲା, ଯୁଦ୍ଧରେ ବହୁ ସଂଖ୍ୟାରେ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ଏମିତିରେ ସେମାନଙ୍କ ଅଭାବକୁ ପୂରଣ କରିବା ପାଇଁ ରୁଷ୍‌ ପିଲାମାନଙ୍କୁ ସେନାରେ ଭର୍ତ୍ତି କରୁଛି।
ରିପୋର୍ଟ ଅନୁସାରେ, ମାନବାଧିକାର ପାଇଁ କାମ କରୁଥିବା ସଙ୍ଗଠନଗୁଡ଼ିକ ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ରହିଛି ଯେ ରୁଷ୍‌ ୧୬ ବର୍ଷର ପିଲାଙ୍କୁ ସେନାରେ ଭର୍ତ୍ତି କରୁଛି। ଜଣେ ଅଧିକାରୀ କହିଛନ୍ତି, କ୍ରେମଲିନ୍‌ ପୂର୍ବ ୟୁକ୍ରେନରେ ନିଜ ସୈନିକମାନଙ୍କ ସଂଖ୍ୟା ବଢ଼ାଇବା ପାଇଁ ପିଲାମାନଙ୍କୁ ଭର୍ତ୍ତି କରୁଛି। ପାଖାପାଖି ୩୦,୦୦୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ ରୁଷ୍‌ ପ୍ରସ୍ତୁତ ହେଉଛି। କାହିଁକି ନା, ଏତିକି ହିଁ ସଂଖ୍ୟାରେ ରୁଷ୍‌ ସୈନିକ ଯୁଦ୍ଧରେ ପ୍ରଭାବିତ ହୋଇଛନ୍ତି।

ୟୁକ୍ରେନର କହିବା ହେଲା, ପିଲାମାନଙ୍କୁ ସେନାରେ ଭର୍ତ୍ତି କରିବା ଜେନେଭା ସମ୍ମିଳନୀର ଉଲ୍ଲଂଘନ। ୟୁକ୍ରେନ ଏହି ମାମଲାର ଯାଞ୍ଚ ଦାବି କରିଛି। ହ୍ୟୁମାନ ରାଇଟ୍‌ସ ଅର୍ଗାନାଇଜେସନ ଅଭିଯୋଗ କରିଛି ଯେ ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଟ୍ରେନିଂ ଦିଆଯାଉଛି ଏବଂ ଜଲ୍‌ଦି ହିଁ ଯୁଦ୍ଧଭୂମିକୁ ପଠାଯିବ। ଟ୍ରେନିଂରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଚଲାଇବାଠାରୁ ଆରମ୍ଭ କରି ମିଲିଟାରୀ ଏବଂ ଡିଫେନ୍ସ ଟ୍ୟାକ୍ଟିକ୍ସ ଶିଖା ଯାଉଛି।

ତେବେ ସଙ୍ଗଠନ ଆଶଙ୍କା କରିଛି ଯେ ରୁଷ୍‌ କିଛି ପିଲାଙ୍କୁ ପୂର୍ବରୁ ହିଁ ଯୁଦ୍ଧଭୂମିକୁ ପଠାଇ ଥାଇପାରେ ଏବଂ ସେମାନଙ୍କ ମୃତ୍ୟୁ ଘଟି ଥାଇପାରେ। ସେପଟେ ରିପୋର୍ଟ ମୁତାବକ, ଏମିତି ଅନେକ ସୈନ୍ୟ ମଧ୍ୟ ଯୁଦ୍ଧଭୂମିରେ ଦେଖା ଯାଇଛନ୍ତି, ଯେଉଁମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ମୁତୟନ କରାଯିବାର ନ ଥିଲା। ୟୁକ୍ରେନ ସଂସଦରେ ମାନବାଧିକାର ଆୟୁକ୍ତ ଲ୍ୟୁଡମିଲା ଡେନିସୋଭା କହିଛନ୍ତି, ପିଲାମାନେ ସୈନ୍ୟ ପ୍ରଶିକ୍ଷଣ ନେଉଛନ୍ତି। ଏହି ସମୟରେ କେତେଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି। ସେନାରେ ପିଲାଙ୍କ ଭର୍ତ୍ତିକୁ ରୁଷ୍‌ ପ୍ରୋତ୍ସାହିତ କରୁଛି, ଯାହାକି ୧୯୪୯ର ଜେନେଭା କନ୍‌ଭେନସନର ଆଇନ ଉଲ୍ଲଂଘନ କରିଛି। ଏହାର ଯାଞ୍ଚ ହେବା ଦରକାର।

Leave A Reply

Your email address will not be published.