ବିଶ୍ବର ଦ୍ଵିତୀୟ ଦେଶ ଭାବେ ଚନ୍ଦ୍ରରେ ପତାକା ଉତ୍ତୋଳନ କଲା ଚୀନ୍

700

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ପରେ ବିଶ୍ବର ଦ୍ଵିତୀୟ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଚୀନ୍‌ ତା’ର ଜାତୀୟ ପତାକା ଲଗାଇଛି। ପୂର୍ବରୁ ୧୯୬୯ ମସିହାରେ ‘ଆପୋଲୋ’ ଅଭିଯାନ ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଚନ୍ଦ୍ରପୃଷ୍ଠରେ ପ୍ରଥମ କରି ପତାକା ଲଗାଇଥିଲା। ‘ଆପୋଲୋ’ ଅଭିଯାନରେ ମଣିଷ ସର୍ବ ପ୍ରଥମେ ଚନ୍ଦ୍ରକୁ ଯାଇଥିଲା। ଏହା ପର ଠାରୁ ଅର୍ଥାତ୍ ୧୯୬୯ ମସିହାରୁ ୧୯୭୨ ମସିହା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ୬ଟି ମହାକାଶଯାନରେ ୧୨ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇ ସେଠାରୁ ୩୮୨ କିଲୋଗ୍ରାମ୍ ଶିଳା ଓ ମୃତ୍ତିକା ଆଣିଛି। ଚନ୍ଦ୍ର ପୃଷ୍ଠରେ ଚୀନ୍‌ର ପତାକା ପୋତା ଯାଇଥିବା ଫଟୋଗୁଡ଼ିକୁ ଶୁକ୍ରବାର ଦିନ ‘ଚାଇନା ନ୍ୟାସ୍‌ନାଲ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ (ସିଏସ୍‌ଏନ୍‌ଏ) ରିଲିଜ୍ କରିଛି। ଚୀନ୍‌ର ‘ଚାଙ୍ଗଇ-୫’ ନାମକ ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରୁ ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରିସାରିବା ପରେ ଏହି ଫଟୋ ସବୁ ଉଠାଯାଇଥିଲା। ୧୯୭୦ ପର ଠାରୁ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରାଯିବାରେ ଏହା ହେଉଛି ପ୍ରଥମ ଅଭିଯାନ। ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଚୀନ୍‌ର ନମୁନା ସଂଗ୍ରହ ଅଭିଯାନ ଶେଷ ହୋଇଥିଲା। ନଭେମ୍ବର ୨୩ ତାରିଖରେ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପିତ ଚୀନ୍‌ର ଏହି ମହାକାଶଯାନଟି ଗତ ମଙ୍ଗଳବାର ଦିନ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥି‌ଲା। ଏକବିଂଶ ଶତାବ୍ଦୀରେ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଏହା ହେଉଛି ତୃତୀୟ ମହାକାଶଯାନ ବୋଲି ଚୀନ୍‌ର ମହାକାଶ ଏଜେନ୍ସି କହିଛି। ବିଳମ୍ବିତ ମଙ୍ଗଳବାରେ ମହାକାଶଯାନ ‘ଚାଙ୍ଗଇ-୫’ ସଫଳତାର ସହ ଚନ୍ଦ୍ରପୃଷ୍ଠକୁ ଏକ ଅବତରଣ ଓ ଆରୋହଣ ଯାନ ଛାଡ଼ିଥିଲା। ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମ୍ ଶିଳା ଓ ମୃତ୍ତିକା ନମୁନା ସଂଗ୍ରହ କରିବା ଥିଲା ଏହି ଅଭି‌ଯାନର ଉଦ୍ଦେଶ୍ୟ।

Leave A Reply

Your email address will not be published.