ମାଇକ୍ରୋ ଫାଇନାନ୍ସ କମ୍ପାନିର ମହା ଘୋଟାଲା!
ଭଞ୍ଜନଗର: ଶହ ଶହ କୋଟି ଟଙ୍କାର ଠକେଇ କମ୍ପାନି ମାଇକ୍ରୋ ଫାଇନାନ୍ସ କମ୍ପାନିର ମାଲିକ ଦୁର୍ଗା ମିଶ୍ରଙ୍କ ଘରକୁ ଲମ୍ବିଚାଲିଛି ବିଭିନ୍ନ ରାଜ୍ୟର ପୋଲିସ ଲମ୍ବା ଲାଇନ । କେତେବେଳେ ସିବିଆଇ ଅଫିସର ତ କେତେବେଳ ମହାରାଷ୍ଟ୍ର ପୋଲିସ ଓ କେତେବେଳ ଝାରଖଣ୍ଡ ଓ ଛତିଶଗଡ଼ ପୋଲିସ ପହଂଚି ତଦନ୍ତ ଚଳାଇଛି । ହେଲେ କାହାରିକି ନପାଇ ନିରାଶ ହୋଇ ଫେରୁଛି । ଠିକ ସେହିପରି ଗତ ଏକ ସପ୍ତାହକ ମଧ୍ୟରେ ମହାରାଷ୍ଟ୍ର ଓ ଛତିଶଗଡ଼ ପୋଲିସର ଟିମ ଆସି ବିଭିନ୍ନ ସ୍ଥାନରେ ଥିବା ଘର ଓ କୋଠା ବୁଲି ଦେଖିଥିଲେ ।
ମାଇକ୍ରୋ ଫାଇନାନ୍ସର ଇତିହାସକୁ ଯଦି ଆମେ ଯିବା ତେବେ କୁହାଯାଇପାରିବାଯେ ଏହି ସଂସ୍ଥା ୩୦ ବର୍ଷର ପୁରୁଣା ସଂସ୍ଥା । ପ୍ରଥମେ ଏହି ସଂସ୍ଥା ୧୯୮୩ରେ ଆରମ୍ଭ ହୋଇଥିଲେ । ଦୁର୍ଗା ମିଶ୍ର ହେଉଛନ୍ତି ଏହି ସଂସ୍ଥାର ମୁଖ୍ୟ । ଯେକି ଭଞ୍ଜନଗର ନିକଟ ନୁଆଁଗାର ଲୋକ ୧୯୯୯ ମସିହାରେ ଅଣବ୍ୟବସାୟିକ ଆର୍ଥିକ ସଂସ୍ଥାର ମାନ୍ୟତା ମିଳିବା ସହ ରିଜର୍ଭବ୍ୟାଙ୍କ ଏନବି ଏଫ ସି ଭାବେ ଅନୁମତି ପ୍ରଦାନ କରିଥିଲେ । ୨୦୦୧ରେ ସଂସ୍ଥାକୁ ମିଳିଥିଲା ଏ ଗ୍ରେଡ଼ ସାର୍ଟିଫିକେଟ, ୨୦୦୬ ବେଳକୁ ଆରବିଆଇ ଜାଣିପାରିଥିଲେ ଯେ କମ୍ପାନି ନିୟମ ଖିଲାପ କରୁଛି । ତେଣୁ ୨୦୧୨ ମସିହାରେ ଆରବିଆଇ ଏ ଗ୍ରେଡ଼କୁ ରଦ୍ଧ କରି ବି ଗ୍ରେଡ଼ର ମାନ୍ୟତା ଦେଲେ ଓ କେବଳ ୠଣ ଦେବାକୁ ଆଦେଶ ଦେବା ସହ ଅର୍ଥ ଜମାର କାରବାରକୁ ରଦ୍ଧ କରିଦେଇଥିଲେ । ହେଲେ ମାଲିକ ଦୁର୍ଗା ମିଶ୍ର ଏହି ଆରବିଆଇର ନିର୍ଦ୍ଧେଶକୁ ନମାନି ବେଆଇନ ଭାବେ ଅର୍ଥ କାରବାରରେ ଲିପ୍ତ ରହିବାକୁ ଚିଟଫଣ୍ଡ ମାମଲାରେ ଗିରଫ ହେଲେ ।
ବେଆଇନ ଅର୍ଥ କାରବାରରେ କୋଟି କୋଟି ଟଙ୍କା ଆତ୍ମସାତ କରି ଭଞ୍ଜନଗର ଅଂଚଳରେ ପ୍ରାୟ କୋଟି କୋଟି ଟଙ୍କାର ଜମି ଓ ଘର ବାରି ନିର୍ମାଣ କରିଥିଲେ ଦୁର୍ଗା ମିଶ୍ର । ତାହାର ଖୋଜ ଖବର ନେଇ ଗତ କଲି ଭଞ୍ଜନଗର ପହଞ୍ଚିଥିଲେ ଛତିଶଗଡ ପୋଲିସର ଟିମ । ଦାନ୍ତେୱାଡା ଜିଲ୍ଲାର ଗିଦାମ ଥାନାରେ ରୁଜୁ ହୋଇଥିବା ଏକ ଠକେଇ ମାମଲାର ତଦନ୍ତ ପାଇଁ ।
ଦୁର୍ଗା ମିଶ୍ରଙ୍କ ଭଞ୍ଜନଗର ବାସଭବନରେ ପହଞ୍ଚିଥିଲେ ଥାନାଧିକାରୀ ସନ୍ତୋଷ ଧୁରୱେ । ଏହି ଟିମ ପହଞ୍ଚି ଦୁର୍ଗା ମିଶ୍ରଙ୍କ ଘରେ ରହିଥିବା ଭଡାଟିଆ ଲୋକଙ୍କୁ ତାଗିଦ କରି ପଚାର ଉଚୁରା କରିଥିଲେ ।
ଛତିଶଗଡ ପୋଲିସର କହିବା କଥା ୬ ଜଣ ଅଭିଯୁକ୍ତଙ୍କ ନାମରେ ଥାନାରେ ମାମଲା ରହିଛି ତେଣୁ ଏହି ୬ ଜଣକୁ ପୋଲିସ ଖୋଜୁଛି । ସେମାନେ ହେଲେ ମାଲିକ ଦୁର୍ଗା ମିଶ୍ର, ତାଙ୍କ ପୁଅ କାଳିପ୍ରସାଦ ମିଶ୍ର, ଉପେନ୍ଦ୍ରଥାନ ମିଶ୍ର, ଦୁର୍ଗା ଷଡ଼ଙ୍ଗୀ ଓ ଅନ୍ୟ ଦୁଇ ଜଣ । ଏହି ୬ ଜଣଙ୍କ ମଧ୍ୟରୁ କାହାରିକୁ ନପାଇ ପୋଲିସ ଟିମ ଫେରିଛନ୍ତି । ଫେରିବାବେଳେ ଥାନା ଅଧିକାରୀ ଭଞ୍ଜନଗର ତହସିଲଦାରଙ୍କୁ ଚି଼ଠି ଲେଖି କହିଛନ୍ତି ଯେ, ଦୁର୍ଗା ମିଶ୍ରଙ୍କ ସମ୍ପତ୍ତି ତାଲିକା ଦେବା ପାଇଁ । ଗିରଫ ହୋଇଥିବା ଦୁର୍ଗା ମିଶ୍ର ଜାମିନରେ ବାହାରେ ରହିଥିବାରୁ ତାଙ୍କୁ ପୋଲିସ ଖୋଜୁଛି । ହେଲେ ଭଞ୍ଜନଗର ଓ ଏହି ଅଂଚଳରେ ଥିବା ଅଫିସ ଓ ଘରେ ତଳ ଝୁଲୁଥିବା ବେଳେ କିଛି ଜାଗାରେ ଘର ଉପରେ ଗଛ ପତ୍ର ଉଠିଯାଇ ଜଙ୍ଗଲ ହୋଇଗଲାଣି । ହେଲେ ଏହି ଅଫିସ ଅଂଚଳରେ କାହାରି ଦେଖା ମିଳୁନଥିବା ଯୋଗୁଁ ସାଧାରଣ ଲୋକଙ୍କ ଅର୍ଥ ଫେରସ୍ତ ମିଳିବାନେଇ ଆଶା କ୍ଷୀଣ ମନେହେଉଛି ।