ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଲୋକାର୍ପିତ

168

ସଂଗ୍ରହାଳୟରେ ଲୋକକଳା ଓ ପ୍ରାଚୀନ କିର୍ତ୍ତିରାଜିର ଝଲକ୍

ବୌଦ୍ଧ: ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟ ଭାବରେ ବୌଦ୍ଧ ରାଜତନ୍ତ୍ର ସମୟର ଶହେ ବର୍ଷର କଚେରୀ କୋଠାକୁ ଭିଡିଓ କନଫରେନସିଂ ମାଧ୍ୟମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଏହି ସଂଗ୍ରହାଳୟରେ ଐତିହାସିକ ବୌଦ୍ଧ ଜିଲ୍ଳାର ଲୋକକଳା, ସଂସ୍କୃତି, ପ୍ରାଚୀନ ପରମ୍ପରା, କାରିଗରୀ, ର୍କିତ୍ତିରାଜୀ ଓ ବିକାଶର ଝଲକ ଦେଖିବାକୁ ମିଳିବ । ଶହେବର୍ଷର ଏହି ଐତିହାସିକ କୋଠାରେ ସ୍ଥାପିତ ସଂଗ୍ରହାଳୟ ନୂଆପିଢି ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଳାର ଲୁଣିବାହାଲ, ଖୁଣ୍ଟବନ୍ଧ ଓ କଣ୍ଟାମାଳଠାରେ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ମିଳନସ୍ଥଳ ବୌଦ୍ଧ ମହାନଦୀ ବ୍ରିଜ୍ ଛକର ଉନ୍ନତିକରଣ ସହିତ ଏହାକୁ ବିଜୁଟ୍ଟନାୟକ ଛକ ନାମରେ ନାମିତ କରିଛନ୍ତି । ଏହା ସହିତ ୬କୋଟି ବ୍ୟୟରେ ଏନ୍‌ଏସି ଛକରୁ ଜାମୁଛକ ଓ ୩ କୋଟି ବ୍ୟୟରେ ଟ୍ରେଜେରି ଛକରୁ ସର୍କିଟ୍‌ହାଉସ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ, ୫.୬୯ ଲକ୍ଷ ବ୍ୟୟରେ ମନମୁଣ୍ଡା ବାଇପାସ୍ ରାସ୍ତା, ୨.୯୫ ଲକ୍ଷ ବ୍ୟୟରେ ମଡେଲ ଡିଗ୍ରୀ କଲେଜ ପରିସରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ, ବିଜୁସେତୁ ଯୋଜନାରେ ୩.୨୮ ଲକ୍ଷ ଓ ୨.୮୪ ଲକ୍ଷ ବ୍ୟୟରେ ବଘିଆପଡା ସମାପାଜୁ ଓ ପାଣିଶାଳ ରାସ୍ତାରେ ଦୁଇଗୋଟି ସେତୁ, ତାଳଗିରି ଜୁରାମୁଣ୍ଡା ରାସ୍ତାରେ ୧.୫୪ ଲକ୍ଷ ବ୍ୟୟରେ ନିର୍ମିତ ପୋଲ, ୧.୮୦ ଲକ୍ଷ ବ୍ୟୟରେ ଭାଲିଆଗୋରା ଠାକୁରମୁଣ୍ଡା ପୋଲ, ବୌଦ୍ଧ ସହରର ମାତଙ୍ଗେଶ୍ୱର ମନ୍ଦିର ପାର୍ଶ୍ୱରେ ୩୫ ଲକ୍ଷ ବ୍ୟୟରେ ସୌନ୍ଦର୍ଯ୍ୟକରଣ, ୧.୫୦ ଲକ୍ଷ ବ୍ୟୟରେ ଖଜୁରୀପଡାଠାରେ ଯାତ୍ରୀନିବାସ, ମର୍ଜାକୁଦ ପାଇଁ ୧୧ କେଭି ବିଦ୍ୟୁତକରଣ ପ୍ରକଳ୍ପ ଆଦି କାର୍ଯ୍ୟର ଉଦ୍‌ଘାଟନ କରିଥିଲେ ।

ସେହିରି ବୌଦ୍ଧ ସହରରେ ୨.୫୦ ଲକ୍ଷ ବ୍ୟୟରେ ଏକ ମୃତ୍ତିକା ପରୀକ୍ଷଣ କେନ୍ଦ୍ର, ଜଗନ୍ନାଥ ମନ୍ଦିର ନିକଟରେ ପର୍ଯଟକମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟର, ସମାପାଜୁ ପାଣିଶାଳ ରାସ୍ତାର ଉନ୍ନତିକରଣ ପାଇଁ ୭.୯୦ ଲକ୍ଷ ଓ ବିଳାସପୁର ଦପଲା ରାସ୍ତାର ଉନ୍ନତିକରଣ ପାଇଁ ୩.୩୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିକାଶର ଧାରା ସଂପର୍କରେ ଆଲୋକପାତ କରିବା ସହିତ ଐତିହ୍ୟ ସଂପନ୍ନ ଏହି ଜିଲ୍ଲାରେ ଭରି ରହିଥିବା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ବୌଦ୍ଧଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂହ, ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ୍ରକାଶ ପାଣିଗ୍ରାହୀ, କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦି କୁମାର ଅମାତ ଓ କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ଯୋଗଦେଇ ପ୍ରାଚୀନ ଐତିହ୍ୟ ଓ ର୍କିତ୍ତିରାଜିରେ ଭରପୁର ବୌଦ୍ଧ ଜିଲ୍ଲାରେ ପର୍ଯ୍ୟଟନର ଅନେକ ସୁଯୋଗ ରହିଥିବାବେଳେ ଏହାର ବିକାଶ ସହିତ ଚାଷୀ, ଶ୍ରମଜିବୀମାନଙ୍କ ବିକାଶ ପାଇଁ ଜାରି ରହିଥିବା ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବୌଦ୍ଧ ବିଧାୟକ ଶ୍ରୀ ଅମାତ ବୌଦ୍ଧର ଐତିହ୍ୟସଂପନ୍ନ କୋଠାରେ ସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ଜିଲ୍ଲା ସଂଗ୍ରହାଳୟକୁ ସରକାରୀ ସଂଗ୍ରହାଳୟର ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ୍‌ସି ଜ୍ୟୋତିରଂଜନ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ବୌଦ୍ଧ ଗେହ୍ଲାମା କଳାନିକେତନର କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.