ଚୀନର ସବୁଠାରୁ ଧନୀ ବ୍ୟକ୍ତି ଜ୍ୟାକ ମ‌ା ନିଖୋଜ !

162

ଚୀନ୍ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ଟାର୍ଗେଟ କରିବା ପରେ ହୋଇଛନ୍ତି ନିଖୋଜ

ବେଜିିଂ: ବିଶ୍ୱର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ପ୍ରାୟ ୨ ମାସ ହେବ ନିଖୋଜ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି । ବିଶ୍ବର ଅନ୍ୟତମ ଧନୀ ତଥା ହଜାର ହଜାର କୋଟି ଟଙ୍କାର କାରବାର କରୁଥିବା ଆଲିବାବାକୁ ଚଳାଉଥିବା ଜ୍ୟାକ୍ ମା ଏବେ ଦେଖା ଦେଉ ନଥିବା ନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି। ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହେବା ପର ଠାରୁ ତାଙ୍କୁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଦେଖା ଯାଉନାହିଁ। ବ୍ୟବସାୟ ଓ ବ୍ୟବସାୟୀଙ୍କୁ ଅଧିକ ସୁବିଧା ଯୋଗାଇ ଦେବା ପାଇଁ ଜ୍ୟାକ୍ ଆର୍ଥିକ ସୁଧାର ଦାବି କରିଥିଲେ । ସେ ବିଶ୍ୱ ବ୍ୟାଙ୍କ ବ୍ୟବସ୍ଥାକୁ ‘ବୃଦ୍ଧଙ୍କ କ୍ଲବ୍’ ଭାବେ ଅଭିହିତ କରିଥିଲେ । ତାଙ୍କର ଏହି ଭାଷଣକୁ ଚୀନ କମ୍ୟୁନିଷ୍ଟ୍ ପାର୍ଟି ପସନ୍ଦ କରିନଥିଲା । ଜ୍ୟାକଙ୍କ ସମାଲୋଚନା କମ୍ୟୁନିଷ୍ଟ୍ ପାର୍ଟି ବିରୋଧରେ ଆକ୍ରମଣ ବୋଲି ପାର୍ଟି ଗ୍ରହଣ କରିଥିଲା । ଏହାକୁ ନେଇ କମ୍ୟୁନିଷ୍ଟ୍ ପାର୍ଟି ସୁପ୍ରିମୋ ତଥା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଉତକ୍ଷିପ୍ତ ହୋଇଥିଲେ ।

ନଭେମ୍ବର ୨୦୨୦ର ଚୀନ ଅଧିକାରୀ ଜ୍ୟାକ୍ ଓ ତାଙ୍କ କମ୍ପାନୀକୁ ଜୋରଦାର ଝଟକା ଦେବାକୁ ଯାଇ ଆଲ୍ଲିବାବା ଗ୍ରୁପର ୩ ହଜାର ୭ ଶହ କୋଟି ଡଲାରର ଆଇପିଓକୁ ବାତିଲ କରି ଦେଇଥିଲେ । ଏହି ଆଦେଶ ସିଧାସଳଖ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କାର୍ଯ୍ୟାଳୟରୁ ଯାଇଥିଲା । ଏହାପରେ ଜ୍ୟାକଙ୍କୁ କୁହାଯାଇଥିଲା ଯେ, ସେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଚୀନ୍ ଛାଡି ଯାଇ ପାରିବେ ନାହିଁ । ଏହି ଘଟଣା ପରେ ଜ୍ୟାକ୍ ନିଜ ଟିଭି ସୋ’ ‘ଆଫ୍ରିକା ବିଜନେସ୍ ହିରୋଜ୍’ର ନଭେମ୍ବର ଫାଇନାଲ ଏପିସୋଡ୍ ପୂର୍ବରୁ ରହସ୍ୟମୟ ଭାବେ ଗାଏବ ହୋଇଯାଇଥିଲେ । କେବଳ ଏତିକି ନୁହେଁ ସୋ’ରୁ ତାଙ୍କ ଚିତ୍ରକୁ ମଧ୍ୟ କାଢି ଦିଆଯାଇଥିଲା । ତେବେ ଅଲ୍ଲିବାବା ଗ୍ରୁପ ତରଫରୁ ଏଥିପାଇଁ ଅନ୍ୟ କାରଣ ଦର୍ଶା ଯାଇଥିଲା । ସିଡ୍ୟୁଲ୍ ବିବାଦ କାରଣରୁ ଜ୍ୟାକ୍ ସୋ’ ଛାଡିଛନ୍ତି ବୋଲି ଗ୍ରୁପ୍ ମୁଖପାତ୍ର କହିଥିଲେ ।

ତେବେ ସୋ’ ଫାଇନାଲର ଢେର ପୂର୍ବରୁ ଜ୍ୟାକ୍ ଏକ ଟ୍ୱିଟରେ ସେ ପ୍ରତିଯୋଗୀଙ୍କ ସହ ସାକ୍ଷାତାକରକୁ ଅପେକ୍ଷା କରିଛନ୍ତି ବୋଲି ଲେଖିଥିଲେ । କେବଳ ଏତିକି ନୁହେଁ ଟ୍ୱିଟରରେ ସର୍ବଦା ସକ୍ରିୟ ରହୁଥିବା ଜ୍ୟାକ୍ ଅକ୍ଟୋବର ମାସରୁ ଟ୍ୱିଟରରୁ ମଧ୍ୟ ଅଦୃଷ୍ୟ ଅଛନ୍ତି । ଜ୍ୟାକଙ୍କ ଆକାଉଣ୍ଟରୁ ଶେଷଥର ପାଇଁ ଅକ୍ଟୋବର ୧୦ ତାରିଖରେ ଟ୍ୱିଟ୍ ହୋଇଥିଲା । ଏମିତିରେ ଜ୍ୟାକଙ୍କୁ ଗିରଫ କରାଯାଇଥିବା ଓ ଗୃହବନ୍ଦୀ ଭାବେ ରଖା ଯାଇଥିବା ଆଶଙ୍କ କାରାଯାଉଛି ।

ଅନ୍ୟପଟେ ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀମାନେ ଜ୍ୟାକ୍ ମାଙ୍କ ବ୍ୟବସାୟକୁ ଶକ୍ତ ଧକ୍କା ଦେଇ ତାଙ୍କର ଆଣ୍ଟ ଗ୍ରୁପର ୩୭ ବିଲିୟନ ଡଲାରର ଆଇପିଓକୁ ସ୍ଥଗିତ ରଖିଥିଲେ । ଏବେ ଜ୍ୟାକ୍ ମା ନିଖୋଜ ହେବା ଖବର ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହି ଖବର ପ୍ରକାଶିତ ହେବା ପରେ ଜ୍ୟାକ୍ ମାଙ୍କ ପ୍ରଶଂସକମାନେ ଚୀନ୍ ସରକାର ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.