ଦୀର୍ଘ ୬ ମାସ ପରେ ରାଜ୍ୟରେ ଆଜି କରୋନାଜନୀତ ମୃତ୍ୟୁ ସଂଖ୍ୟା ଶୂନରେ

662

ଭୁବନେଶ୍ୱର: ଦୀର୍ଘ ୬ ମାସ ପରେ ରାଜ୍ୟରେ କରୋନାକୁ ନେଇ ଭଲ ଖବର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା କାରଣରୁ କାହାରି ମୃତ୍ୟୁ ହୋଇନାହିଁ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ଏଥିପାଇଁ କରୋନା ଯୋଦ୍ଧାମାନଙ୍କୁ ପୁରା ସମ୍ମାନ ଜଣାଇଛି। ସେପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସରକାର କହିଛନ୍ତି । ଏଥିପାଇଁ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ସରକାର । ସେମାନଙ୍କ ମଧ୍ୟରୁ ୧୩୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି  ୩ଲକ୍ଷ ୩୦ ହଜାର ୯୨୧ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ୨ ହଜାର ୨୦୩ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଛନ୍ତି ।

ସେପଟେ ବ୍ରିଟେନରେ ଭୟଙ୍କର ହେଉଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ୬୦ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହେ ହେଲାଣି ଏଠାରେ ପ୍ରତିଦିନ ୫୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । କୋଭିଡର ସର୍ବାଧିକ ଆଲର୍ଟ ଲେବଲ- ୫ ଜାରି କରାଯାଇଛି । ଅର୍ଥାତ ସ୍ଥିତି ନିୟନ୍ତ୍ରଣକୁ ନଆସିଲେ ଏଠାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିବ । ୭ ଦିନ ଭିତରେ ଇଂଲଣ୍ଡର ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ସଂଖ୍ୟା ୩୦ ପ୍ରତିଶତ ବଢିଯାଇଛି । ସେହିଭଳି କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ବ୍ରିଟେନରେ କରୋନାରେ ୭୫ ହଜାରରୁ ଅଧିକ ମୃତ୍ୟୁ ହେଲାଣି ।

Leave A Reply

Your email address will not be published.