ଓଡ଼ିଶାକୁ ମିଳିଲା ଦୁଇ ଜାତୀୟ ପୁରସ୍କାର

158

ଭୁବନେଶ୍ୱର: ଜାଗାମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡିଶାକୁ ପୁରସ୍କୃତ କରିଥିଲେ । ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ୍ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ । ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରକୁ ନିଆଯାଇଥିବାବେଳେ ୫ଟି ବର୍ଗ ମଧ୍ୟରୁ ଓଡିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି । ଜାଗା ମିଶନ କ୍ଷେତ୍ରରେ ଆଇନ୍ର ସଫଳ ରୂପାୟନ, ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି ।

ଓଡିଶା କାର୍ଯ୍ୟକାରୀ କରିଥିବା ବସ୍ତିବାସିନ୍ଦାଙ୍କୁ ଜମିର ସତ୍ୱାଧିକାର ନିୟମ -୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି । ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ “ବେଷ୍ଟ ସିଭିକ୍ ଏଜେନ୍ସି’ ପୁରସ୍କାର ପାଇଛି । ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡିକ ପ୍ରଦାନ କରାଯାଇଥାଏ । ୫ଟି ବର୍ଗରେ ଦିଆଯାଉଥିବା ପୁରସ୍କାରଗୁଡିକ ହେଉଛି ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌରସଂସ୍ଥା, ଶ୍ରେଷ୍ଠ ସିଭିକ୍ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିସନ ଏବଂ ଶ୍ରେଷ୍ଠ ରାଜ୍ୟ ଅର୍ଥ କମିସନ ।

ଆଜି ଏହି ପୁରସ୍କାର ମିଳିଥିବା ଯୋଗୁଁ ରାଜ୍ୟ ଗୃହ ଓ ନଗର ଉନ୍ନୟନ, ଆଇନ୍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ବିଭାଗର ପଦାଧିକାରୀମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ସାଧୁବାଦ ଜଣାଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ନଗର ଉନ୍ନୟନ ଓ ସ୍ମାର୍ଟସିଟି ମିଶନର ସଫଳତାକୁ ସମଗ୍ର ବିଶ୍ୱ ଅନୁସରଣ କରୁଛି । ଆଜିର ଏହି ପୁରସ୍କାର ବିତରଣ ଉତ୍ସବରେ ପୌର ପ୍ରଶାସକ ସଂଗ୍ରାମ୍ଜିତ୍ ନାଏକ, ଇଆଇସି ପିଏଚ୍ ବସନ୍ତ କୁମାର ସେନାପତି ଓ ଉପଶାସନ ସଚିବ ଶାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.