ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ : ବ୍ୟାପକ ଧନ ଜୀବନ ନଷ୍ଟ
ଜାକର୍ତା: ଶୁକ୍ରବାର ପ୍ରତ୍ୟୁଷରେ ଇଣ୍ଡୋନେସିଆର ସୁଲାୱେସିରେ ଶକ୍ତିଶାଳୀ ଭୂମିକମ୍ପ ଭୂକମ୍ପ ଝଟ୍କା କାରଣରୁ ଅନ୍ୟୂନ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଲୋକ ଆହତ ହୋଇଥିବା କଥା ଦେଶର ବିପର୍ଯ୍ୟୟ ପ୍ରଶମନ ଏଜେନ୍ସି କହିଛି। । ୭ ସେକେଣ୍ଡର ଭୂକମ୍ପ ଝଟ୍କାରେ ଥରିଲା ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିବା ଜଣାପଡ଼ିଛି । ଏଥିରେ ବହୁ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଏବେ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ସୂଚନା ମିଳିଛି ।ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ମାଜିନି ସହରରୁ ୬ କିଲୋମିଟର ଦୂରବର୍ତ୍ତୀ ଏକ ସ୍ଥାନ। ଭୂଗର୍ଭର ୧୦ କିଲୋମିଟର୍ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା।
ଅନ୍ୟପଟେ ଏବେ ବି ମାଟି ତଳେ ଚାପି ହୋଇ ଶତାଧିକ ଲୋକ ନିଖୋଜ ଥିବା ଅନୁମାନ କରାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସେହିଭଳି ମାଜେନ ସହରଠାରୁ ୬ କମି ଦୂରରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ମାଜେନ ସହରର ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୩୭ ଜଣ ଆହତ ହୋଇଛନ୍ତି । ମାମୁଜୁରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସେଥିରେ ଜଣଙ୍କ ମୃତ୍ୟୁ ହୋଇଛି । ୨୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାୟ ୭ ସେକେଣ୍ଡ୍ ଧରି ଖୁବ୍ ଜୋର୍ରେ ଅନୁଭୂତ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର କୌଣସି ଆଶଙ୍କା ନ ଥିବା ଜଣାପଡ଼ିଛି ।