ଭୁବନେଶ୍ୱର: ଆସନ୍ତାକାଲି (ଶନିବାର)ଠାର ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହେବ । ଆସନ୍ତାକାଲି ସକାଳ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ଗତକାଲିଠାରୁ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଏସଏମଏସ୍ ମାଧ୍ୟମରେ ଏସମ୍ପର୍କରେ ସୂଚନା ଦିଆଯାଉଛି ।
ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଂଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ । ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଂଟରେ ଟିକା ପହଂଚିସାରିଛି । ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ରାଜ୍ୟର ୧୬୦ ଟିକା କେନ୍ଦ୍ରରେ ସକାଳ ୯ଟାରୁ ଟିକାକରଣ ଆରମ୍ଭ ହୋଇ ୫ଟା ଯାଏଁ ଚାଲିବ । ଭ୍ୟାକସିନ୍ ଖୋଲାଯିବାର ୪ ଘଂଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି । ସବୁ କେନ୍ଦ୍ରରେ ୱେଟିଂ ରୁମ୍, ଅବଜରଭେସନ ରୁମ୍ କରାଯାଇଛି ।ସବୁ କେନ୍ଦ୍ରରେ ଯେଉଁ ୫ ଜଣିଆ ଟିମ୍ ରହିବେ ତାଙ୍କ ଟ୍ରେନିଂ ସରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ । ଯେଉଁମାନଙ୍କର କୋଭିଡ ଲକ୍ଷଣ ସେମାନଙ୍କୁ ଟିକା ଦିଆଯିବ ନାହିଁ । ସୁସ୍ଥ ହେବାର ୪ରୁ ୮ ସପ୍ତାହ ମଧ୍ୟରେ ଟିକା ଦିଆଯିବ । କୋଭିସିଲ୍ଡ ଓ କୋଭାକ୍ସିନର ୦.୫ ଏମଏଲ ଡୋଜ ବାହୁର ଉପରିଭାଗରେ ଦିଆଯିବ ।