ରାଜ୍ୟରେ ୧୬୧ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ: ଟାର୍ଗେଟର ୮୧ ପ୍ରତିଶତ ହେଲା ଟୀକାକରଣ, ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ନେଲେ ଟୀକା

141

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଭୁବନେଶ୍ୱରରୁ ବରଗଡ଼, କଟକରୁ କଳାହାଣ୍ଡି ସବୁଠି ଉତ୍ସାହର କୋଭିଡ୍ ଭ୍ୟାକ୍ସିନ୍ ନେଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧା । ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ ଲାଗି ବ୍ୟବସ୍ଥା ହୋଇଥିଲା । ପ୍ରଥମ ଦିନରେ ଓଡ଼ିଶାରେ ହୋଇଛି ୮୧ ପ୍ରତିଶତ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୩୧୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାର ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ୍ ୧୩ ହଜାର ୨୯୨ ଜଣ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇଛନ୍ତି । ଯାହା କି ଟୀକାକରଣ ଟାର୍ଗେଟର ୮୧ ପ୍ରତିଶତ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ତରଫରୁ ପ୍ରେସ୍ ନୋଟ୍ ଜରିଆରେ ସୂଚନା ଦିଆଯାଇଛି ।

ପ୍ରଥମ ଦିନର ଟିକାକରଣ ବେଳେ ଜଣଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ୩ ଲକ୍ଷ ୩୮ ହଜାର ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦିଆଯିବ । ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଟିକାକରଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ପ୍ରଥମ ଦିନରେ ସୋନପୁରରେ ସବୁଠୁ କମ୍ ୧୦୧ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଗଞ୍ଜାମରେ ସର୍ବାଧିକ ୯୪୫ ଜଣଙ୍କୁ ଦିଆଯାଇଛି । ୧୮ ବର୍ଷରୁ କମ, ଗର୍ଭବତୀ, ପ୍ରସୂତି ଓ ଅସୁସ୍ଥଙ୍କୁ ଟିକା ମନା ନେବାକୁ ମନା କରାଯାଇଛି । ୧୪ ଦିନ ଭିତରେ ଅଲଗା ଟିକା ନେଇଥିବା ରୋଗୀଙ୍କୁ ମଧ୍ୟ ଭ୍ୟାକ୍ସିନ୍ ଦିଆଯିବ ନାହିଁ ।

ତେବେ ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଇଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ନବୀନ । ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.