ଗଣତନ୍ତ୍ର ଦିବସ ରେ ସ୍ୱାଭିମାନ ଅଞ୍ଚଳର ପୂର୍ବ ଚିତ୍ରକୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥାପନା କରିଲେ ସ୍ୱାଭିମାନୀ ଶିକ୍ଷକ

134

ମାଲକାନଗିରି:  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଭିନ୍ନ ଭାବେ ଗଣତନ୍ତ୍ର ଦିବସ ପାଳନ କଲେ ସ୍ୱାଭିମାନୀ ଶିକ୍ଷକ । ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମାଧ୍ୟମରେ ଅଞ୍ଚଳବାସୀ ଙ୍କୁ ଦେଲେ ଭିନ୍ନ ବାର୍ତ୍ତା। ତେବେ ଏହି ସ୍ୱାଭିମାନୀ ଶିକ୍ଷକ ମାନଙ୍କର ମୂଳ ଉଦ୍ଦେଶ୍ୟ ଥିଲା ଯେ ଗୁରୁପ୍ରିୟା ନିର୍ମାଣ ପୂର୍ବରୁ କିପରି ସଂଘର୍ଷ କରି ନିଜ ଜୀବନ କୁ ବାଜି ଲଗାଇ ବିପଦପୂର୍ଣ୍ଣ ଜଳଯାତ୍ରା ସହ ପାହାଡିଆ ଘଞ୍ଚ ଜଙ୍ଗଲ ଅତିକ୍ରମ କରି କିପରି ଶିକ୍ଷାଦାନ କରୁଥିଲେ ତାହା ଥିଲା ଏହି ଚଳଚ୍ଚିତ୍ର ର ମୁଖ୍ୟ ଆକର୍ଷଣ ।

ପ୍ରଥମ କରି ନିର୍ଭୟରେ ନିଜ ନିଜ ବିଦ୍ୟାଳୟ ଗୁଡ଼ିକ ରେ ପତାକା ଉତ୍ତୋଳନ କରିଥିଲେ । ପରେ ଦାରଲାବେଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପ୍ରୋଜେକ୍ଟର ମାଧ୍ୟମରେ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଚଳଚ୍ଚିତ୍ର ରେ ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣା ଙ୍କ ଅପହରଣ ଠାରୁ ଆରମ୍ଭ କରି ହନ୍ତାଳଗୁଡା ଘାଟି ନିର୍ମାଣ, ଗୁଣିଗାରେଡି ଅନ୍ଧବିଶ୍ୱାସ ଏବଂ ବିଏସଏଫ କ୍ୟାମ୍ପ ସ୍ଥାପନ ଓ ବାଲ୍ୟ ବିବାହ ଏବଂ ଶିକ୍ଷକ ମାନେ ଅଞ୍ଚଳବାସୀ ଙ୍କୁ କିପରି ପ୍ରେରଣୀତ କରି ପିଲାଙ୍କୁ ସ୍କୁଲ ପଠାଇବାର ଚିତ୍ର ଆଦି ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଥିଲା । ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସମୟରେ ବାଲ୍ୟ ବିବାହ ପ୍ରଥା ର ଅଂଶ କୁ ଦେଖି ଉପସ୍ଥିତ ଅତିଥି ବୃନ୍ଦ ଙ୍କ ସହ ଅଞ୍ଚଳବାସୀ ମଧ୍ୟ ଭାବବିହ୍ଵଳ ହୋଇପଡିଥିଲେ ।

ଏହି ଚଳଚ୍ଚିତ୍ର କୁ ସ୍ୱାଭିମାନ ଅଂଚଳର ଯୋଡାମ୍ବ ସିଆରସସି ଶିବ ପ୍ରସାଦ ସରକାର ପରିକଳ୍ପନା ଏବଂ କ୍ୟାମେରାମେନ ଦାୟିତ୍ୱ ତୁଲାଇଥିବା ବେଳେ ପଣସପଦର ବିଦ୍ୟାଳୟ ର ସହ ଶିକ୍ଷକ ସୁଶାନ୍ତ ପାତ୍ର ନିର୍ଦେଶନା ଭାର ନେଇଥିଲେ । ମୁଖ୍ୟ ଭୂମିକାରେ ଅରୁଣ ସାହୁ, ଵାଲାଜି ସେଠି, ସ୍ଥାନୀୟ ଅଞ୍ଚଳର ଡ଼ମୁଣି, ଡାଳିମା ଏବଂ ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ନୀଳାମ୍ବର ପୂଜାରୀ, ଚିତ୍ତରଞ୍ଜନ ସେଠି, ଦେବଭକ୍ତ ସାଗର, ଦୟାନିଧି ପାତ୍ର, ଯୋଡାମ୍ବ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କଲ୍ୟାଣ, ଉଦୟ ଖିଲ, ସନ୍ତୋଷ ଖିଲ, ସମ୍ବଧ ପୂଜାରୀ, ଜୟଶଙ୍କର ମାଝୀ ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ଏପରି ଏକ ଭିନ୍ନ ପ୍ରୟାସ କୁ ସ୍ୱାଭିମାନ ଅଞ୍ଚଳର କାର୍ଯ୍ୟରତ ବିଏସଏଫ ବାହିନୀ ଏବଂ ପୋଲିସ ଚଳଚ୍ଚିତ୍ର ଟିକୁ ଦେଖି ପ୍ରଶଂସା ରେ ପୋତି ପକାଇଥିଲେ ।

Leave A Reply

Your email address will not be published.