ପୁରୀ: ଶ୍ରୀମନ୍ଦିରକୁ ଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ମାନେ ପୂର୍ବଭଳି ଆନନ୍ଦବଜାରରୁ ମହାପ୍ରସାଦ କିଣି ପାରିବେ । ଖୁବ୍ ଶୀଘ୍ର ଏନେଇ ନିଷ୍ପତି ନେବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ବର୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି । ତେବେ ଏହାର ପୁନଃ ସମୀକ୍ଷା କରାଯିବା ସହିତ ଖୁବ୍ ଶୀଘ୍ର ଏନେଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ କରିବା ପାଇଁ ଚିନ୍ତା କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ସୁଆର ମହାସୁଆର ନିଯୋଗ ବୈଠକରେ ଏହି ନିଷ୍ପତି ହୋଇଛି ।
ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ଆସନ୍ତା ପରିଚାଳନା କମିଟି ବୈଠକ ଓ ଛତିଶାନିଯୋଗ ବୈଠକରେ ନିଷ୍ପତି ନିଆଯିବା ପରେ ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ନେଇ ଆଶା କରାଯାଉଛି ।