କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ କଡା ଚିଠି

163
– କୋଟିଆ ଓଡିଶାର ଥିଲା ରହିଛି ରହିବ , ସୀମା ଦଖଲରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଅନ୍ତୁ 
ଭୁବନେଶ୍ୱର:  କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜୟାନଗରମ, ବିଶାଖାପଟନମ ଓ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନକୁ ବେଆଇନ ସୀମା ଦଖଲ କାର୍ଯ୍ୟକଳାପ, ତଥା ଲୋକମାନଙ୍କୁ ପ୍ରଲୋଭନ କରି ଭୋଟ କରାଇବା ଆଦି କାମରୁ ବିରତ ରହିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଶ୍ରୀ ନାଏକ ଚିଠିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
କଡା ଭାଷାରେ ବିରୋଧୀ ଦଳ ନେତା ଲେଖିଛନ୍ତି ଯେ କୋଟିଆ ଓଡିଶାର ଥିଲା ରହିଛି ରହିବ । ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନ ବେଳେ ବ୍ରିଟିଶ ଭାରତ ସରକାରଙ୍କର ଗେଜେଟ ନୋଟିଫିକେସନ ଅନୁସାରେ କୋଟିଆ ଓଡିଶାର ଅଂଶ । କୋଟିଆକୁ ଯେତେ ଚେଷ୍ଟା କରିଲେ ବି ଆନ୍ଧ୍ର ନେଇପାରିବ ନାହିଁ । ଯେଉଁଭଳି ଭାବରେ ଆନ୍ଧ୍ର ପ୍ରଦେଶ ସରକାର ଓଡିଶାର ସୀମାବର୍ତୀ କିଛି ଗାଁରେ ଅନୈତିକ ଓ ବେଆଇନ ଭାବରେ ଭୋଟ କରିବା ପାଇଁ ପ୍ରୟାସ କରିଲେ ତାହା ଗ୍ରହଣୀୟ ନୁହେଁ । ଏହାର ଦେଶର ଆଦର୍ଶ ସଙ୍ଘିୟ ବ୍ୟବସ୍ଥା, ସମ୍ବିଧାନର ମୁଳ ଭାବନାକୁ ବିରୋଧ କରୁଛି ।
ଏପରିକି ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଯେଉଁ ରାୟ ଦେଇଥିଲା ତାହାକୁ ବି ଆନ୍ଧ୍ର ସରକାର ମାନୁନାହାନ୍ତି । ଓଡିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ଥିବା ସାଂସ୍କୃତିକ ସର୍ମ୍ପକ ହଜାର ହଜାର ବର୍ଷର । ଉଭୟ ସୀମାରେ ରହୁଥିବା ଲୋକମାନଙ୍କ ଭିତରେ କାହିଁ କେଉଁ କାଳରୁ ପାରିବାରିକ ଏବଂ ସାଂସ୍କୃତିକ ସର୍ମ୍ଫକ ରହିଆସିଛି । ହେଲେ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକଳାପ ଦୁଇ ସୀମାର ଲୋକମାନଙ୍କର ଭିତରେ ସୁସର୍ମ୍ପକକୁ ନଷ୍ଟ କରୁଛି ବୋଲି ବିରୋଧୀ ଦଳ ନେତା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।
Leave A Reply

Your email address will not be published.