୨୨ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ

144

-ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପର ଉଦ୍‍ଘାଟନ ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଆସାମରେ ଇଞ୍ଜିୟନିରିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

-ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିବେ

ନୂଆଦିଲ୍ଲୀ:  ୨୨ ଫେବୃଆରୀ ୨୦୨୧ ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍‍ ସମୟରେ ଆସାମର ଧମାଜୀସ୍ଥିତ ସିଲାପାଥରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତୈଳ ଓ ଗ୍ୟାସ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ଯ୍ୟକ୍ରମରେ ସେ ଇଞ୍ଜିନିୟରିଂ କଲେଜଗୁଡ଼ିକର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ପୂର୍ବାହ୍ନ  ପ୍ରାୟ ୪.୩୦ ରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ହୁଗୁଳି ଠାରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଆସାମରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ତୈଳବିଶୋଧନାଗାରର ଇଣ୍ଡିମାକ୍ସ ୟୁନିଟ୍‍, ଦିବ୍ରୁଗଡର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ୍ ଫାର୍ମ ଏବଂ ତିନିସୁକିଆର ମାକୁମ ସ୍ଥିତ ହେବେଡା ଗାଁରେ ଥିବା ଏକ ଗ୍ୟାସ୍ କମ୍ପ୍ରେସର ଷ୍ଟେସନକୁ ଦେଶକୁ ଉତ୍ସର୍ଗ କରିବେ ।  ସେ ମଧ୍ୟ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବେ ଏବଂ ସୁଆଲାକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ପ୍ରକଳ୍ପଗୁଡିକ ଶକ୍ତି ସୁରକ୍ଷା ଏବଂ ସମୃଦ୍ଧିର ଏକ ଯୁଗ ଆରମ୍ଭ କରିବ ଏବଂ ସ୍ଥାନୀୟ ଯୁବକମାନଙ୍କ ପାଇଁ ସୁଯୋଗର ରାସ୍ତା ଖୋଲିବ । ପୂର୍ବ ଭାରତର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଏହା ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ଦୃଷ୍ଟିକୋଣ । ଏହି ଅବସରରେ ଆସାମର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଇଣ୍ଡିଆନ୍ ଅଏଲର ବଙ୍ଗାଇଗାଓଁ ତୈଳ ବିଶୋଧନାଗାରରେ ଥିବା INDMAX ୟୁନିଟ୍ ଇଣ୍ଡିଆନ୍ ଅଏଲ-&D ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି ଯାହା କଞ୍ଚାମାଲରୁ ଉଚ୍ଚ ମାନଯୁକ୍ତ LPG ଏବଂ ଉଚ୍ଚ ମାନର ଅକ୍ଟାକେନ ଗ୍ୟାସୋଲିନ ଉତ୍ପାଦନ କରିଥାଏ । ଏହି ତୈଳ ବିଶୋଧନାଗାର ୟୁନିଟ୍‍ରେ ଅଶୋଧିତ ତୈଳ ପ୍ରକ୍ରିୟାକରଣ କ୍ଷମତାକୁ ୨.୩୫ MMTPA (ବାର୍ଷିକ ମିଲିୟନ୍ ମେଟ୍ରିକ୍ ଟନ୍‌) ରୁ ୨.୭ MMTPA କୁ ବୃଦ୍ଧି କରିବ । ଏହାର କାର୍ଯ୍ୟକାରିତା LPG ଉତ୍ପାଦନ ୫୦ TMT (ହଜାରେ ମେଟ୍ରିକ୍ ଟନ୍‌) ରୁ ୨୫୭ TMT ଏବଂ ମୋଟର ସ୍ପିରିଟ୍ (ପେଟ୍ରୋଲ୍‌) ଉତ୍ପାଦନକୁ ୨୧୦ TMT ରୁ ୫୩୩ TMT ପର୍ଯ୍ୟନ୍ତ ବୃଦ୍ଧି କରିବ ।

ପ୍ରାୟ ୪୦,୦୦୦ କିଲୋ ଲିଟର ଅଶୋଧିତ ତୈଳର ସୁରକ୍ଷିତ ସଂରକ୍ଷଣ ଏବଂ ଅଶୋଧିତ ତୈଳରୁ ଜଳକୁ ପୃଥକ କରିବା ପାଇଁ ଅଏଲ୍‍ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ର୍ନିମାଣ କରାଯାଇଛି । ୪୯୦ କୋଟି ଟଙ୍କାର ପ୍ରକଳ୍ପରେ ପ୍ରତିଦିନ ୧୦,୦୦୦ କିଲୋ ଲିଟର କ୍ଷମତା ବିଶିଷ୍ଟ ଡିହାଇଡ୍ରେସନ୍ ୟୁନିଟ୍ ମଧ୍ୟ ରହିବ ।

ତିନିସୁକିଆର ମାକୁମ୍ ଠାରେ ଥିବା ଗ୍ୟାସ୍ କମ୍ପ୍ରେସର ଷ୍ଟେସନ୍ ଦେଶର ଅଶୋଧିତ ତୈଳ ଉତ୍ପାଦନ କ୍ଷମତାକୁ ବାର୍ଷିକ ପ୍ରାୟ ୧୬୫୦୦ ମେଟ୍ରିକ୍ ଟନ୍ ବୃଦ୍ଧି କରିବ । ୧୩୨ କୋଟି ଟଙ୍କା ବ୍ୟୟରେ ର୍ନିମିତ ଏହି ଷ୍ଟେସନରେ ୩ଟି ଲୋ-ପ୍ରେସର ବୁଷ୍ଟର୍ କମ୍ପ୍ରେସର ଏବଂ ୩ ଟି ହାଇ-ପ୍ରେସର ଲିଫ୍ଟ କମ୍ପ୍ରେସର ଅଛି ।

ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ ୨୭୬ ବିଘା ଜମିରେ ଧମାଜୀ ଇଞ୍ଜିନିୟରିଂ କଲେଜ ର୍ନିମାଣ କରାଯାଇଛି । ଏହା ରାଜ୍ୟର ସପ୍ତମ ସରକାରୀ ଇଞ୍ଜିନିୟରିଂ କଲେଜ ଏବଂ ସିଭିଲ୍‌, ମେକାନିକାଲ୍ ଏବଂ କମ୍ପ୍ୟୁଟର ବିଜ୍ଞାନରେ ବି.ଟେକ୍ ପାଠ୍ୟକ୍ରମ ପ୍ରଦାନ କରିବ । ପ୍ରାୟ ୫୫ କୋଟି ଟଙ୍କା ବ୍ୟୟରେ ୧୧୬ ବିଘା ଜମିରେ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ର୍ନିମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମେଟ୍ରୋ ରେଳର ନୋଆପାରା ଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣର ଉଦଘାଟନ କରିବେ ଏବଂ ଏହି ପ୍ରସାରଣର ପ୍ରଥମ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏହି ୪.୧ କିଲୋମିଟର ସମ୍ପ୍ରସାରଣ କାର୍ଯ୍ୟ ୪୬୪ କୋଟି ଟଙ୍କା ବ୍ୟୟରେ ର୍ନିମାଣ କରାଯାଇଛି । ଏହା ସଡକ ଯାତାୟତର ଭିଡ ହ୍ରାସ କରିବ ଏବଂ ସହରୀ ଗତିଶୀଳତାକୁ ଉନ୍ନତ କରିବ । ଏହି ସମ୍ପ୍ରସାରଣ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ଭକ୍ତଙ୍କ ପାଇଁ କାଳିଘାଟ ଏବଂ ଦକ୍ଷିଣେଶ୍ୱରରେ ଥିବା ଦୁଇ ବିଶ୍ୱ ପ୍ରସିଦ୍ଧ କାଳୀ ମନ୍ଦିରକୁ ଯାତାୟତ ସହଜ କରିବ । ବାରନଗର ଏବଂ ଦକ୍ଷିଣେଶ୍ୱର ନାମରେ ନିର୍ମିତ ଏହି ଦୁଇଟି ନୂତନ ଷ୍ଟେସନରେ ଆଧୁନିକ ଯାତ୍ରୀ ସୁବିଧା ରହିଛି ଏବଂ ମୂର୍ତି, ଫଟୋଗ୍ରାଫ୍‌, ଏବଂ ପ୍ରତିମା ସହିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବରେ ପରିକଳ୍ପିତ ଏବଂ ସଜାଯାଇଛି ।

ଦକ୍ଷିଣ ପୂର୍ବ ରେଳବାଇର ୧୩୨ କିଲୋମିଟର ଦୈର୍ଘ୍ୟ ଖଡଗପୁର-ଆଦିତ୍ୟପୁର ତୃତୀୟ ଲାଇନ ପ୍ରକଳ୍ପର ୩୦ କିଲୋମିଟର ପର୍ଯ୍ୟନ୍ତ କାଲାଇକୁଣ୍ଡା ଏବଂ ଝାରଗ୍ରାମ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ, ଯାହାର ଆନୁମାନିକ ମୂଲ୍ୟ ୧୩୧୨ କୋଟି ଟଙ୍କା ହେବ । କଲାଇକୁଣ୍ଡା ଏବଂ ଝାରଗ୍ରାମ ମଧ୍ୟରେ ଥିବା ଚାରୋଟି ଷ୍ଟେସନକୁ ନୂତନ ଭିତ୍ତିଭୂମି ନବୀକରଣ ସହିତ ଚାରିଟି ନୂତନ ଷ୍ଟେସନ୍ କୋଠା, ଛଅଟି ନୂତନ ଫୁଟ୍‍ ଓଭର ବ୍ରିଜ ଏବଂ ଏଗାରଟି ନୂତନ ପ୍ଲାଟଫର୍ମ ର୍ନିମାଣ କରି ଭିତ୍ତିଭୂମିର ନବୀକରଣ କରାଯାଇଛି । ଏହା ହାୱଡା-ମୁମ୍ବାଇ ଟ୍ରଙ୍କ ମାର୍ଗରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନର ନିରବଚ୍ଛିନ୍ନ ଯାତ୍ରା ନିଶ୍ଚିତ କରିବାରେ ସାହାଯ୍ୟ କରିବ ।

ପ୍ରାୟ ୨୪୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଥିବା ପୂର୍ବ ରେଳବାଇର ହାୱଡା- ବନ୍ଦେଲ – ଅଜିମଗଞ୍ଜ ବିଭାଗର ଏକ ଅଂଶ ଅଜିମଗଞ୍ଜର ଖାରଗଘାଟ ରୋଡ ସେକ୍ସନକୁ ପ୍ରଧାନମନ୍ତ୍ରୀ ଦେଶକୁ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ହାୱଡା-ବର୍ଦ୍ଧମାନ କୋର୍ଡ ଲାଇନ୍‍ ଅର୍ନ୍ତଗତ ହାୱଡାର ଡାନକୁନି ଏବଂ ବାରୁପାରା (୧୧.୨୮କିମି) ଚତୁର୍ଥ ଲାଇନ୍‍ ଏବଂ ହାୱଡା-ବର୍ଦ୍ଧମାନ ମୁଖ୍ୟ ଲାଇନ୍‍ ଅର୍ନ୍ତଗତ ରସୁଲପୁର ଏବଂ ମାଗ୍ରା (୪୨.୪୨ କିମି) ମଧ୍ୟରେ ତୃତୀୟ ଲାଇନକୁ ଉତ୍ସର୍ଗ କରିବେ, ଯାହାକି କୋଲକାତାର ପ୍ରବେଶପଥ ଭାବରେ କାର୍ଯ୍ୟ କରେ । ରସୁଲପୁର ଏବଂ ମାଗ୍ରା ମଧ୍ୟରେ ତୃତୀୟ ଲାଇନ ୭୫୯ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଥିବାବେଳେ ଡାନକୁନି ଏବଂ ବାରୁପାରା ମଧ୍ୟରେ ଚତୁର୍ଥ ଲାଇନ ୧୯୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ହୋଇଛି ।

ଏହି ପ୍ରକଳ୍ପଗୁଡିକ ଉନ୍ନତ କାର୍ଯ୍ୟକ୍ଷମ, କମ୍ ଯାତ୍ରା ସମୟ ଏବଂ ରେଳ ଯାତ୍ରାର ବର୍ଦ୍ଧିତ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି କରିବ ।

Leave A Reply

Your email address will not be published.