ଟିକା ପାଇଁ ଅଫ୍ ଲାଇନ୍ ରେ ପଂଜୀକରଣ କରିପାରିବେ ବୟସ୍କ

154
ଭୁବନେଶ୍ୱର: କୋଭିଡ୍ ଟୀକାକରଣ ପାଇଁ ଅଫଲାଇନ୍ ରେ ପଂଜୀକରଣ କରିପାରିବେ ବୟସ୍କ । ଏନେଇ ସବୁ ଜିଲ୍ଲାପାଳ ଓ ସିଡିଏମଓ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଏଥିସହ ବରିଷ୍ଠ ନାଗରିକ ଯେପରି ଅସୁବିଧା ନ ଭୋଗିବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ସୋମବାର ଠାରୁ କୋଭିଡ୍ ଟିକାକରଣରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଜଟିଳ କିମ୍ବା ଏକାଧିକ ରୋଗକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ତେବେ ଅନଲାଇନ୍ ପଞ୍ଜୀକରଣ ବେଳେ କେତେକ ସ୍ଥାନରେ ସମସ୍ୟା ଦେଖାଦେଇଥିଲା । ରାଜଧାନୀ ଭୁବନେଶ୍ୱର ସହ ବିଭିନ୍ନ ଟିକାକରଣ କେନ୍ଦ୍ରରେ ୱେବସାଇଟରେ ଲିଙ୍କ୍ କାମ କରୁନଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବରିଷ୍ଠ ନାଗରିକମାନଙ୍କୁ ବହୁତ ଅପେକ୍ଷା କରିବାକୁ ପଡୁଥିବା ଅଭିଯୋଗ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଟିକା ନେବାପାଇଁ ପୁରୁଣା କୋୱିନ୍ ଆପ୍‌ର ଉନ୍ନତ ଭର୍ସନ୍ କୋୱିନ୍‌-ଟୁ ଆପ୍ ଡାଉନଲୋଡ୍ କରି କିମ୍ବା କୋୱିନ୍ ଡଟ୍ ଜିଓଭି ଡଟ୍ ଇନ୍ ୱେବସାଇଟ୍ କୁ ଯାଇ ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗାକ୍ରାନ୍ତ ୪୫ ବର୍ଷରୁ ଅଧିକ ବୟସ୍କ ନିଜ ନାଁ ପଞ୍ଜିକରଣ କରିପାରିବେ । ଆରୋଗ୍ୟ ସେତୁ ଆପ୍ ରୁ ମଧ୍ୟ କୋୱିନ୍ ପୋର୍ଟାଲକୁ ଯାଇହେବ । ଯିଏ ପଂଜୀକରଣ କରିନଥିବ, ସିଧାସଳଖ ଟିକାକରଣ କେନ୍ଦ୍ରରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଟିକା ନେଇ ପାରିବେ । ସରକାରୀ ହସ୍ପିଟାଲରେ ଏହି ଟିକା ମାଗଣାରେ ମିଳୁଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡ଼ିବ ।
Leave A Reply

Your email address will not be published.