ମହାଦ୍ରୁମ ପାଲଟିଛି ମିଶନ ଶକ୍ତି

198

-ପ୍ରତିଟି ମା’ ମଧ୍ୟରେ ରହିଛି ନେତୃତ୍ୱ ନେବାର ସାହସ ଓ ଦକ୍ଷତା
-ମିଶନ ଶକ୍ତି ହେବ ଏକ କୋଟି ମା’ମାନଙ୍କ ବିରାଟ ଆନ୍ଦୋଳନ
-୮୦ ଲକ୍ଷ ମହିଳାଙ୍କ ପାଇଁ ଆଶାର ବୃକ୍ଷ ପାଲଟିଛି ମିଶନ ଶକ୍ତି
-ମିଶନ ଶକ୍ତି ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିଛି
-ଯେଉଁ ଦେଶର ମା’ମାନେ ଯେତେ ଆଗୁଆ, ସେ ଦେଶ ସେତେ ଉନ୍ନତ

୨୦୦୧ ମାର୍ଚ୍ଚ ୮ରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ଲକ୍ଷ ମହିଳାଙ୍କ ପାଇଁ ଆଶାର ବୃକ୍ଷ ପାଲଟିଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ଦେଶରେ ନୁହେଁ, ସାରାବିଶ୍ୱରେ ସବୁଠୁ ବଡ଼ ଆନ୍ଦୋଳନରେ ଏହା ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଯେଉଁ ଦେଶର ମା’ମାନେ ଯେତେ ଆଗୁଆ, ସେ ଦେଶ ଉନ୍ନତ । ସରକାର ନିଷ୍ଠାର ସହ ମିଶନ ଶକ୍ତି ସଦସ୍ୟଙ୍କ ପାଇଁ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ହଜାର କୋଟିର କାମ ଘୋଷଣା କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ୱର: ମା’ମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢ଼େଇ ଜାରି ରହିବ । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ “ନାରୀ ଜାଗରଣ ବିଶ୍ୱ କଲ୍ୟାଣ’ର ବାର୍ତ୍ତା ଦେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଜେଡି ଅଫିସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ବିକାଶ ପାଇଁ ବିଜୁ ପଟ୍ଟନାୟକ ସବୁବେଳେ କାମ କରୁଥିଲେ । ଏହାକୁ ବିଜେଡି ସରକାର ଆଗକୁ ନେବାର କାର୍ଯ୍ୟ ଜାରି ରଖିଛି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତିଟି ମା’ଙ୍କ ମଧ୍ୟରେ ନେତୃତ୍ୱ ନେବାର ସାହସ ଓ ଦକ୍ଷତା ରହିଛି । ସଂସଦୀୟ ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଥିଲା । ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି କହିଛନ୍ତି ।

ବିଜୁ ମହିଳା ଜନତା ଦଳର ମହିଳା ସମାବେଶରେ ଯୋଗଦେବା ପୂର୍ବରୁ ନବୀନ ଏକ ବାର୍ତ୍ତା ରାଜ୍ୟର କୋଭିଡ ସଂଗ୍ରାମରେ ସହଭାଗୀ ହୋଇ ନିଜ ପାଇଁ ସମାଜରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ସୃଷ୍ଟି କରିଥିବା ପ୍ରତ୍ୟେକ ମହିଳାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆମ ରାଜ୍ୟ ଓଡ଼ିଶା ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ଏବଂ ପୌରସଂସ୍ଥାରେ ୫୦ପ୍ରତିଶତ ଆସନ ସଂରକ୍ଷଣ କରିବାରେ ଅଗ୍ରଣୀ ।ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟଠାରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଦୃଢ଼ ଦାବି କରିଆସୁଛୁ । ଆମ ମିଶନ ଶକ୍ତି କାର୍ଯ୍ୟକ୍ରମ ନାରୀଶକ୍ତି ଏବଂ ସଶକ୍ତିକରଣର ପ୍ରତୀକ । ମିଶନ ଶକ୍ତିରେ ସଶକ୍ତ ୮୦ଲକ୍ଷ ମହିଳାଙ୍କ ବାହିନୀ ଆଜି ତୃଣମୂଳସ୍ତରରେ ପରିଦୃଶ୍ୟ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା’ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି ।

ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା’ ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ୍‌ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ୱତନ୍ତ୍ର ବିଭାଗ ନିଷ୍ପତ୍ତି ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ମା’ମାନେ ଖୁବ ସ୍ୱାଗତ କରିଛନ୍ତି । ମିଶନ ଶକ୍ତି ଆଜି ବଡ ସାମାଜିକ ଓ ଅର୍ଥନୈତିକ ଆନ୍ଦୋଳନରେ ପରିଣତ ହୋଇଛି । ଗାଁ ଅର୍ଥନୀତିକୁ ଚଳଚଞ୍ଚଳ କରିପାରିଛି । ମିଶନ ଶକ୍ତି କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ସବୁଠାରୁ ବଡ ଆନ୍ଦୋଳନରେ ପରିଣତ ହୋଇପାରିବ । କୋଭିଡର ଆହ୍ୱାନମୂଳକ ସମୟରେ ମା’ମାନେ ହିଁ ସରକାରଙ୍କ ମୁଖ୍ୟ ସହଯୋଗୀ ହୋଇ କୋଭିଡ ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ମିଶନ ଶକ୍ତିର ମା’ମାନଙ୍କଠାରୁ ଆରମ୍ଭକରି ଅଙ୍ଗନବାଡି, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମୀ ଆଦି ସବୁ ମା’ମାନେ ସବୁଠାରୁ ବେଶୀ ଦାୟିତ୍ୱର ସହ କାମ କରିଛନ୍ତି । ପରିବାରକୁ ସଚେତନ ମଧ୍ୟ କରିଛନ୍ତି ।

ସେଥିପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପକ୍ଷରୁ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ସବୁବେଳେ ମିଶନ ଶକ୍ତିର ମା’ମାନଙ୍କ ପାଇଁ ନିଷ୍ଠାର ସହ କାମ କରୁଛନ୍ତି । ସେମାନଙ୍କ ପାଇଁ ୫ ହଜାର କୋଟି ଟଙ୍କାର କାମ ଘୋଷଣା କରାଯାଇଛି ଏବଂ ସେମାନେ ଦକ୍ଷତାର ସହ କାମ କରି ସରକାରଙ୍କ ବିଶ୍ୱାସକୁ ବୃଦ୍ଧି କରିଛନ୍ତି । ଯେଉଁ ଦେଶରେ ମା’ମାନେ ଯେତେ ଆଗୁଆ ସେ ଦେଶ ସେତେ ଉନ୍ନତ । ମା’ମାନଙ୍କ ସମୃଦ୍ଧି ଓ ଅଧିକାର ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ଉପସ୍ଥିତ ଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମହିଳାମାନଙ୍କ ଅନ୍ତନିର୍ହିତ ଶକ୍ତି ଓ ଦକ୍ଷତାକୁ ଉପଯୋଗ କରି ବିକାଶକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଓଡିଶା ମହିଳା ବିକାଶ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିପାରିଛି । ମିଶନ ଶକ୍ତି ମା’ମାନଙ୍କୁ ନୂଆ ପରିଚୟ ଦେଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ରାଜ୍ୟ ସରକାର ମହିଳାମାନଙ୍କୁ ହିତାଧିକାରୀ ନୁହେଁ, ବରଂ ବିକାଶର ସହଭାଗିଦାର ବୋଲି ମନେ କରନ୍ତି ।

ସେହିପରି ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ ଧନ୍ୟବାଦ ଅର୍ପଣ କରିବା ସହିତ କହିଥିଲେ ଯେ, ୨୦୦୧ରେ ମିଶନ ଶକ୍ତି ଏକ ଯୋଜନା ହୋଇ ଆରମ୍ଭ ହୋଇଥିଲା । ଆଜି ଏହା ଏକ ସ୍ୱତନ୍ତ୍ର ବିଭାଗ ହୋଇଛି । ମୁଖ୍ୟମନ୍ତ୍ରୀ ମିଶନ ଶକ୍ତିର ମା’ମାନଙ୍କ ପାଇଁ ୫ହଜାର କୋଟି ଟଙ୍କା ଘୋଷଣା କରିଥିଲେ । ଆଜି ମା’ମାନେ ୨୫ଶହ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ଆରମ୍ଭ କରିସାରିଛନ୍ତି । ମା’ମାନଙ୍କ ପାଇଁ ୩ହଜାର ୨୦୦ କୋଟି ଟଙ୍କାର ଋଣ ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪ହଜାର କୋଟି ଟଙ୍କାରୁ ଅଧିକ ଋଣ ମିଳିସାରିଛି ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତିର କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇଟି ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା, ସ୍ୱୟଂସହାୟକ ଗୋଷ୍ଠୀ ଅଧିକାରୀ ଓ ବ୍ୟାଙ୍କ ମାନ୍‌ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତିର ଉପଦେଷ୍ଟ. ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା, ରାଜ୍ୟ ଶିଶୁ ସୁରକ୍ଷା କମିସନର ଅଧ୍ୟକ୍ଷା, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ ଭି.କେ.ପାଣ୍ଡିଆନ, ଉନ୍ନୟନ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.