ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଇଁ ପ୍ରସ୍ତୁତି : ପୂର୍ବପୁରୁଷଙ୍କ ବଳିଦାନକୁ ଯୁବପିଢ଼ି ସ୍ମରଣ କରିବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

142

ଭୁବନେଶ୍ୱର: ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ୬ଜଣ ଓଡ଼ିଆ ସାମିଲ ହୋଇଛନ୍ତି । ଆଜି ଏଭଳି ଅଭିଯାନ ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଲାଗି ଗଠିତ କମିଟି ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ସ୍ୱାଧୀନତାର ୭୫ବର୍ଷର ସ୍ମୃତିଚାରଣ ବିଷୟରେ ଆଲୋଚନା କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ସମୟ ଅତିବାହିତ ହେବା ସହିତ ଆମ ଦେଶର ଯୁବକମାନେ ଆମର ପୂର୍ବପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ଆବଶ୍ୟକ । ଏ ନେଇ ଆମର ସ୍ୱାଧୀନତା ସଂଗ୍ରାମ ଏବଂ ସଂଗ୍ରାମୀଙ୍କ ବଳିଦାନ ସଂପର୍କରେ ପ୍ରଚାର ପ୍ରସାର ହେବା ସହ ସ୍ୱାଧୀନତା ସଂଗ୍ରାମ ସହ ଜଡ଼ିତ ସ୍ଥାନର ବିକାଶ ହେବା ଆବଶ୍ୟକ ।

ଭାରତର ସୀମା ବାହାରେ ଘଟିଥିବା ଅନେକ ଘଟଣାକୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି । ସ୍ୱାଧୀନତା ଆଣିବା ପାଇଁ ହୋଇଥିବା ଆନ୍ଦୋଳନର ମୂଲ୍ୟବୋଧ ଏବଂ ନୈତିକତାକୁ ବୁଝି ଏହାକୁ ଆଗକୁ ନେବା ହିଁ ଆମ ଜାତିର ପିତାଙ୍କୁ ଆମର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ । ସ୍ୱାଧୀନତା, ନ୍ୟାୟ ଏବଂ ସମାନତାର ଆଦର୍ଶ ଯାହା ସ୍ୱାଧୀନତା ସଂଗ୍ରାମକୁ ବ୍ୟାଖ୍ୟା କରିଛି ଆଜିର ପରିସ୍ଥିତିରେ ଏହାକୁ ଦୋହରାଇବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଶ୍ୱର ଯେକୌଣସି ସ୍ଥାନରେ ବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ପାଖରେ ସ୍ମୃତି·ରଣ ସମାରୋହର ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପହଞ୍ôଚବା ପାଇଁ ସମସ୍ତ ଉଦ୍ୟମ କରାଯିବା ଉଚିତ୍ । ଟେକ୍ନୋଲୋଜି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଏହା ହାସଲ କରିବା ସମ୍ଭବ ଅଟେ । ଜାତିରପିତା ମହାତ୍ମା ଗାନ୍ଧୀ କହିଥିଲେ ଯେ, ନିଜକୁ ଖୋଜିବାର ସର୍ବୋତ୍ତମ ଉପାୟ ହେଉଛି ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ।

ସେଥିପାଇଁ ଦେଶର ନାଗରିକଙ୍କ ମଧ୍ୟରେ ସମାଜ ସେବାକୁ ଉତ୍ସାହିତ କରିବା ପାଇଁ ସେବାଭିତ୍ତିକ କାର୍ଯ୍ୟକଳାପଗୁଡିକୁ ଏହି କାର୍ଯ୍ୟକ୍ରମର ଏକ ଅଂଶ କରାଯାଇପାରିବ । ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମ ଚଳିତମାସ ୧୨ରୁ ଆରମ୍ଭହୋଇ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଚାଲିବ । ଜାତୀୟ କମିଟି ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନୀତିଗତ ମାର୍ଗଦର୍ଶନ ପ୍ରଦାନ କରାଯିବ । ଦେଶ ସ୍ୱାଧୀନତାକୁ ନେଇ ଐତିହାସିକ ଗୁରୁତ୍ୱ ବହନ କରୁଥିବା ଦେଶର ୭୫ଟି ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ପ୍ରତ୍ୟେକ ରାଜ୍ୟରୁ ୨-୩ ଟି ସ୍ଥାନର ନାମ ସଂସ୍କୃତି ମନ୍ତ୍ରାଣାଳୟକୁ ପଠାଇବାକୁ ପଡ଼ିବ ।

Leave A Reply

Your email address will not be published.