ଦିଲ୍ଲୀରେ ‘କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ’ : ଇଗଲ ପରି ଉଡ଼ିବା, ଝଡ଼ ପରି ଲଢ଼ିବା ଥିଲା ବିଜୁବାବୁଙ୍କ ନିଶା

153

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ପକ୍ଷରୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳନ କରାଯାଇଛି । ଦେଶର ବିମାନ ଚାଳନା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ କିମ୍ବଦନ୍ତୀ ଭାରତୀୟ ପାଇଲଟ ଦିବସ ଭାବରେ ପାଳନ କରିବ ଏବଂ ଦେଶର ଜଣେ ଦକ୍ଷ ପାଇଲଟଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଛି । କ୍ଲବ୍ରେ ସଭାପତି ବି.ବି.ଏଲ୍ ମଧୁକର ବିଜୁ ଜୟନ୍ତୀ ସମାରୋହ ଅବସରରେ ଏହି ସୂଚନା ଦେଇଛନ୍ତି ।

ଏହି ଅବସରରେ ଆୟୋଜିତ ଏକ ସମାରୋହ ପାଇଁ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଦିଲ୍ଲୀ ଫ୍ଲାଇଟ କ୍ଲବ୍ରେ ବିଜୁବାବୁଙ୍କ ପ୍ରଶିକ୍ଷଣ ଦେଶର ବିମାନ ଚାଳନା କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ତାଙ୍କର ବିମାନ ଉଡାଣର କାହାଣୀ ଆଜି କିମ୍ବଦନ୍ତୀ ହୋଇ ଘରେ ଘରେ ତାଙ୍କ ସାହସିକତା ଓ ଦେଶଭକ୍ତିର କଥା ବର୍ଣ୍ଣନା କରୁଛି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବିମାନ ଚାଳନା ପାଇଁ ପ୍ରବଳ ଆଗ୍ରହ ଯୋଗୁଁ ବିଜୁବାବୁ ୧୯୩୦ ଦଶକର ପ୍ରାରମ୍ଭରେ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ରେ ବିମାନ ଚାଳନା ପାଇଁ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଏବଂ ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଗୌରବମୟ ଯାତ୍ରା । ଇଗଲ୍ ପରି ଉଚ୍ଚ ଆକାଶରେ ଉଡିବା ଏବଂ ଝଡ ସହ ଲଢିବା ତାଙ୍କର ନିଶା । ଆଉ ତାଙ୍କର ସେହି ସ୍ୱପ୍ନକୁ ପୂରଣ କରିଥିଲା ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ୍ ।

ସେ ବୋଧହୁଏ ଏକମାତ୍ର ସଂଗ୍ରାମୀ ଯିଏ କି ତିନୋଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ । କେବଳ ଭାରତ ନୁହେଁ ଇଣ୍ଡୋନେସିଆ ଓ ଋଷିଆର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଭାରତରେ ଜୟପ୍ରକାଶ ନାରାୟଣ ଓ ଅରୁଣା ଆସଫ୍ ଅଲ୍ଲୀ୍ଙ୍କ ପରି ନେତୃବୃନ୍ଦଙ୍କୁ ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ନେଇ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରୁ ବଞ୍ଚାଇଥିଲେ ।

ଏଥିପାଇଁ ସେ ବ୍ରିଟିଶ୍ ସରକାରଙ୍କ ଆକ୍ରୋଶର ଶିକାର ହୋଇ ଜେଲ୍ ମଧ୍ୟ ଯାଇଥିଲେ । ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଭୂମିକା ବିଶ୍ୱବିଦିତ । ଏଥିସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଋଷିଆର ସେ ରେଡ୍ ଆର୍ମିକୁ ମଧ୍ୟ ସହାୟତା କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ପାଇଲଟ୍ ଭାବରେ ବିଜୁବାବୁଙ୍କ ଗୌରବମୟ ଯାତ୍ରା ପାଇଁ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଏଥିପାଇଁ ସାରା ଓଡିଶା ଓ ଭାରତବାସୀ ଏହି କ୍ଲବ୍ର ଭୂମିକାକୁ ସବୁ ସମୟରେ ମନେ ରଖିବେ । ଜଣେ ଦକ୍ଷ ପାଇଲଟ ଭାବରେ ବିଜୁବାବୁଙ୍କ ସ୍ମୃତିକୁ ପୁନର୍ଜୀବିତ କରିଥିବାରୁ ମୁଖ୍ୟମନ୍ତ୍ରୀ କ୍ଲବ୍ର ସଭାପତି ବି.ବି.ଏଲ ମଧୁକରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ମଧ୍ୟ ଯୋଗଦେଇ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବର ସଭାପତି ବି.ବି.ଏଲ ମଧୁକର ଏବଂ ସଂପାଦକ ଅମିତ ଶର୍ମା ବିମାନ ଚାଳନା କ୍ଷେତ୍ରରେ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରିଥିଲେ ।

Leave A Reply

Your email address will not be published.