କୃଷି ଓଡ଼ିଶା ୨୦୨୧ ଉଦଘାଟିତ: ଚାଷୀଙ୍କ ସହ ସବୁବେଳେ ଅଛି ଓ ରହିଥିବି

181

ଭୁବନେଶ୍ୱର: ଉଦଘାଟିତ ହେଲା କୃଷି ଓଡିଶା ୨୦୨୧ । ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ଏହି ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ନ୍ତକୃଷି ଓଡିଶା’କୁ ଭର୍ଚୁଆଲ ମୋଡ୍ରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ।

ଚାଷୀଙ୍କ ସାଥିରେ ରହିଛି,ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ ଉଦାହରଣ ସାଜିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏହାସହ କଳାହାଣ୍ଡିର ମତ୍ସ୍ୟଚାଷୀ ଦେଶରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି । ଚାକିରି ଛାଡି ଯୁବାବର୍ଗ ଚାଷକୁ ଆପଣାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ଆର୍ଥିକ ସ୍ଥିତି ବିଗାଡି ଦେଇଥିବା ବେଳେ ସଞ୍ଜିବନୀ ଭାବେ ଉଭା ହୋଇଛି କୃଷି । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କାର ଋଣ ଯୋଗାଇଛନ୍ତି ।

ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ନବୀନ । କୃଷି ଓଡିଶା ଚାଷୀଙ୍କର ସମାବେଶ । ଚାଷୀଙ୍କ ଦକ୍ଷତା ବିକାଶ ପାଇଁ ଏହି ସମାବେଶ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚଳିତବର୍ଷର ଥିମ୍ ରହିଛି ସମନ୍ୱିତ ଚାଷ ଓ ଚାଷୀର ବିକାଶ । କୃଷି ଓ ଆନୁସଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା, ବଜାର ସୁଯୋଗ ସୃଷ୍ଟି ତଥା ଆବଶ୍ୟକ ଋଣର ସହଜ ଉପଲବ୍ଧତା ଆଦି ଉପରେ ଏହି ପ୍ରଦର୍ଶନୀରେ ଗୁରୁତ୍ୱ ଦିଆଯାଇଛି । ଏଥର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି,ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେବାକୁ ଯାଉଛନ୍ତି ।

ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବ । ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ “ଛତୁ’କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି । ସମଗ୍ର ଦେଶରେ ଆମ ରାଜ୍ୟ ଓଡ଼ିଶା ପାଳଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ୍ ଛତୁ ଉତ୍ପାଦନରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବବର୍ଗ ଛତୁଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା କୃଷି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.