ହଟିବ ଟୋଲ୍ ଗେଟ
ନୂଆଦିଲ୍ଲୀ: ଆସନ୍ତା ଏକ ବର୍ଷ ମଧ୍ୟରେ ଜାତୀୟ ରାଜପଥରୁ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ । ଟୋଲ୍ ପ୍ଲାଜା ସ୍ଥାନରେ ଜିପିଏସ୍ ଟ୍ରାକ୍ଟର ଦ୍ୱାରା ଗାଡିକୁ ଟ୍ରାକ୍ କରାଯିବ । ଯେତିକି ସମୟ ପାଇଁ ଓ ଯେତିକି ବାଟ ହାଇୱେରେ ଯିବେ ସେତିକି ପାଇଁ ଟୋଲ୍ ଦେବେ । ସଂସଦରେ ଏଭଳି ଘୋଷଣା କରିଛନ୍ତି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକସଭାରେ ଗୁରୁବାର ଦିନ ବିଏସ୍ପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ ।
ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ, ଗତ ସରକାର ଅମଳରେ ଠିକା କମ୍ପାନୀଙ୍କୁ ଅଧିକ ଲାଭ ପହଞ୍ଚଇବା ଲକ୍ଷ୍ୟରେ ମନଇଛା ଟୋଲ୍ ପ୍ଲାଜା ବସାଇବାକୁ ଦିଆଯାଇଥିଲା । ସହର ସୀମାରେ ଏଭଳି ଟୋଲ୍ ପ୍ଲାଜା ବସାଇବା ବେଆଇନ୍ ଓ ଭୁଲ ।
ଗଡକରୀ କହିଥିଲେ ଯେ,ଏବେ ଯଦି ଟୋଲ୍ ପ୍ଲାଜାକୁ ହଟାଯାଏ ତେବେ କଂପାନୀ ଆଇନର ଆଶ୍ରା ନେଇ କ୍ଷତିପୂରଣ ଦାବି କରିବେ । ତେବେ ସରକାର ଆସନ୍ତା ଏକବର୍ଷ ମଧ୍ୟରେ ରାଜପଥରୁ ସବୁ ଟୋଲ୍ ପ୍ଲାଜା ହଟାଇବାକୁ ଯୋଜନା କରୁଛନ୍ତି । ଟେକ୍ନୋଲୋଜି ସାହାଯ୍ୟ ନେଇ ସବୁ ଟୋଲ୍ ପ୍ଲାଜାକୁ ହଟାଇ ଦିଆଯିବ ।
ସରକାରଙ୍କ ଯୋଜନା ହେଉଛି ଜାତୀୟ ରାଜପଥରେ ଜିପିଏସ୍ ଟ୍ରାକର ଲଗାଇବା । ଯାହାଦ୍ୱାର ଜିପିଏସ୍ ରାଜପଥରେ ଚାଲୁଥିବା ଗାଡିର ଫଟୋ ନେଇପାରିବ । ଗୋଟିଏ ଗାଡି ଯେଉଁଠାରୁ ରାଜପଥ ଉପରକୁ ଆସିବ ସେଠାରେ ତା’ର ଫଟୋ ଉଠାଯିବ । ପରେ ଯେତେବେଳେ ଗାଡି ରାଜପଥରୁ ବାହାରିବ ସେତେବେଳେ ମଧ୍ୟ ଫଟୋ ଉଠିବ । ଏହା ଫଳରେ ଗାଡି ରାଜପଥରେ ଯେତିକି ବାଟ ଗଡିଥିବ ସେତିକି ପାଇଁ ଟୋଲ୍ ଦେବ ।