୪୮ ଘଂଟାରେ ୧୭ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା

154

ଭୁବନେଶ୍ୱର: ଆସନ୍ତା ୪୮ ଘଂଟା ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କାଳବୈଶାଖୀ ଓ ବଜ୍ରପାତର ସମ୍ଭାବନା ରହିଛି । ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ୧୭ ଟି ଜିଲ୍ଲାର ଜିଲ୍ଲାପଳଙ୍କୁ ଚିଠି ଲେଖି ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶୁକ୍ରବାର ଦିନ ୧ଟା୩୦ରୁ ଶନିବାର ସକାଳ ୮ଟା୩୦ ମଧ୍ୟରେ ଉତର ଆଭ୍ୟନ୍ତରୀଣ ଓଡିଶା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୂଆପଡା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଏବଂ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟ ମଧ୍ୟରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୋନପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପକ୍ଷରେ ଶନିବାର ସକାଳ ୮ଟା୩୦ରୁ ରବିବାର ସକାଳ ୮ଟା୩୦ ମଧ୍ୟରେ ଉତର ଉପକୂଳ ଓଡ଼ିଶା, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା, କୋରାପୁଟ , କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି ।

ଏହି ସମୟ ମଧ୍ୟରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଏବଂ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା କିମ୍ବା ମଧ୍ୟମ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.