ବାଲେଶ୍ୱରରେ ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧି ସମୀକ୍ଷା ଆଜି କରିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

172

ଭୁବନେଶ୍ୱର: ଆସନ୍ତାକାଲି ବାଲେଶ୍ୱର ସ୍ଥିତ ନୋସି ବିଜିନେସ୍ ପାର୍କଠାରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ତିନୋଟି ଜିଲ୍ଲାର ଶିଳ୍ପ ଅଭିବୃଦ୍ଧି, ସମସ୍ୟା ଓ ତା’ର ପ୍ରତିକାର ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ତିନି ଜିଲ୍ଲାର ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ଏହି ବୈଠକରେ ଶିଳ୍ପକୁ ନେଇ ଦେଖାଦେଇଥିବା ସମସ୍ୟା, ଭିତିଭୂମି ବିକାଶ, କ୍ଲଷ୍ଟର ଆଭିମୁଖ୍ୟ ନେଇ ଶିଳ୍ପପୁଞ୍ଜର ବିକାଶ, ଶିଳ୍ପାଂଚଳରେ ବିଦ୍ୟୁତ ଯୋଗାଣ, ଜଳଯୋଗାଣ, ଯୋଗାଯୋଗ ସୁବିଧା ପ୍ରଭୃତି ଉପରେ ବିଶଦ ଭାବେ ଆଲୋଚନା ହେବ । ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ବାଲେଶ୍ୱରଠାରେ ଇଡ଼୍‌କୋ ଏବଂ ବାଲେଶ୍ୱର ଆଲଏଜ୍ ମଧ୍ୟରେ ରହିଥିବା ଜମି ବିବାଦର ସମାଧାନ ଏବଂ ଇପିକଲର ଇଥାନଲ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆଲୋଚନା ହେବ ।

ଏଥି ସହିତ ୩୩/୧୧ କେଭି ସବ୍‌ଷ୍ଟେସନ, ଟୁଲ୍ ରୁମ୍‌ସ, ରେଲୱେ ସାଇଡିଂ, ବାଇପାସ୍ ରୋଡ଼୍ ଓ ନୋସି ବିଜିନେସ୍ ପାର୍କଠାରେ ଥିବା ସମସ୍ତ ଭିତିଭୂମି ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ଦକ୍ଷତା ବିକାଶ ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଶିଳ୍ପ ବିଭାଗ ସ୍ୱତନ୍ତ୍ର ସଚିବ ନିତେନ ଭାନୁଦାସ ଜୱାଲେ, ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସାଦିକ୍ ଆଲାମ୍‌, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ, ନୋସୀର ଅଧ୍ୟକ୍ଷ ଶ୍ରୀ ଏସ୍‌.କେ. ଖୈତାନ, ଶ୍ରୀ ସି.ପି. ଭାଟିଆ ପ୍ରମୁଖ ଶିଳ୍ପ ବିଷୟରେ ତାଙ୍କର ତଥ୍ୟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.