ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନିମନ୍ତେ ଗତକାଲି ମଧ୍ୟ ରାତ୍ରରେ ସ୍ଥାପନ ହୋଇଛି । ଏହା ପୂର୍ବରୁ ଯାତ୍ରା କମିଟିର ବୈଠକ ଅନୁଷ୍ଠିତ ହେବା ପରେ ଦେଶି ବେହେରା ପି. ଦୂର୍ଗାପ୍ରସାଦ, ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଠାକୁରାଣୀଙ୍କ ସ୍ଥାୟୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଶୁଭଖୁଂଟ ଧରି ଦେଶୀ ବେହେରା ସାଇ ସ୍ଥିତ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ଶୁଭଖୁଂଟ ସ୍ଥାପନ କରିଥିଲେ ।
ସିଦ୍ଧାନ୍ତୀ (ପୁରୋହିତ)ଙ୍କ ଗଣନା ଅନୁଯାୟୀ, ଆସନ୍ତା ୯ ତାରିଖ ଠାରୁ ଠାକୁରାଣୀ ଯାତ୍ରା ଏକ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବ । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତି ସମୟରେ ଯାତ୍ରା ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସଂକ୍ରମଣକୁ ଏଡାଇବା ପାଇଁ ଏହି ଯାତ୍ରାରେ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ବାରଣ କରାଯାଇଛି । ସେହିପରି ଠାକୁରାଣୀଙ୍କ ଘଟ ସାହି ପରିକ୍ରମା କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରୀ କରାଯାଇଛି ।
ଶୁଭଖୁଂଟି ସ୍ଥାପନ ବେଳେ ଦେଶୀ ବେହେରା ପି. ଦୂର୍ଗାପ୍ରସାଦଙ୍କ ସମେତ ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡ଼ି ନେତା ସୁବାଷ ମହାରଣା, ଟି. ଗୋପୀ, ପି. ଆଶାରାଣୀଙ୍କ ସମେତ ବହୁସଂଖ୍ୟାରେ ଜନସାଧାରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ରହିଥିଲେ । ଗତକାଲି ରାତି ସାଢ଼େ ଗୋଟାଏ ସମୟରେ ଶୁଭଖୁଂଟି ସ୍ଥାପନ ହୋଇଥିଲା ।