ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଫେରିଲା ଜଗା ; ଯତ୍ନ ନେଉଛନ୍ତି ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ

177

କନ୍ଧମାଳ: କଟକ ଏସସିବି ମେଡ଼ିକାଲରୁ ଡ଼ିସଚାର୍ଜ ହୋଇ ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଫେରିଛି ୬ ବର୍ଷିୟ ଶିଶୁପୁତ୍ର ଜଗା । ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ୱତନ୍ତ୍ର ଡ଼ାକ୍ତରୀ ଦଳ ତାକୁ ଏସସିବିରୁ ଫୁଲବାଣୀ ଆଣିଥିଲେ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ପରେ ତା ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଇଛି । ଏକ ମେଡ଼ିକାଲ ଟିମ୍ ଜଗାର ଯତ୍ନ ନେଉଛନ୍ତି । ସମ୍ପ୍ରତି ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ ।

ପ୍ରକାଶ ଥାଉ କି, ଏକ ଡ଼ାକ୍ତରୀ ଦଳ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ମନୋରଞ୍ଜନ ରାଉତଙ୍କ ନେତୃତ୍ୱରେ ଡ଼ାକ୍ତର ସିଏଚ.ଏନ୍‌. ସୁବୁଦ୍ଧି ଓ ଜଣେ ଫାର୍ମାସିଷ୍ଟ ଗତକାଲି କଟକରେ ପହଂଚି ଜଗାକୁ ଫୁଲବାଣୀ ଆଣିଥିଲେ । ଏହି ମେଡ଼ିକାଲ ଟିମ୍ ର ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଗାକୁ ସେଠାରୁ ଅଣାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ମେଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ ମୁଣ୍ଡରେ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଗତବର୍ଷ ଚିକିତ୍ସାଧିନ ଅବସ୍ଥାରେ ଜଗାର ଭାଇ ବଳିଆର ମୃତ୍ୟୁ ଘଟିଥିଲା । ତେବେ ଏହା ପୂର୍ବରୁ ଦୀର୍ଘ ୪ ବର୍ଷ ଧରି ଉଭୟଙ୍କ ଚିକିତ୍ସା ଚାଲିଥିଲା । ସାରା ବିଶ୍ୱରେ ଏହା ଏକ ବିରଳ ଅସ୍ତ୍ରୋପଚାର ଥିଲା ।

ନୂଆଦିଲ୍ଲୀର ଏମ୍ସରେ ଡ଼ାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏକ ୪୦ ଜଣିଆ ଡ଼ାକ୍ତରୀ ଟିମ୍ ଏହି ଅସ୍ତ୍ରୋପଚାର କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ନେଇ ଘୋଷଣା କରିବା ସହ ୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ପ୍ରଦାନ କରିଥିଲେ । ତେବେ ଜଗାକୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରଖିବା ପାଇଁ ଡ଼ାକ୍ତରଖାନାରେ ଏକ ସ୍ୱତନ୍ତ୍ର କୋଠରୀ ସମେତ ଅନ୍ୟାନ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.