ଟିକା ଯୋଗାଣରେ ପାତରଅନ୍ତର ଠିକ୍ ନୁହେଁ : କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର:ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ ଦିନକୁ ୧ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨ ଲକ୍ଷକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ପରିପୂରଣ ଲାଗି ଅଧିକ ପରିମାଣର ଟିକାର ପ୍ରଯୋଜନ ରହିଛି । ଏପରି ସ୍ଥଳେ ଆବଶ୍ୟକ ସଂଖ୍ୟକ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପତ୍ର ଲେଖିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବଙ୍କୁ ଲେଖିଥିବା ଏହି ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଟିକାଯୋଗାଣରେ ରାଜ୍ୟ ରାଜ୍ୟ ମଧ୍ୟରେ କେଣସି ପ୍ରକାର ପାତରଅନ୍ତର କରାଯିବା ଉଚିତ ନୁହେଁ । ରାଜ୍ୟରେ ତାପମାତ୍ରାକୁ ଦୃଷ୍ଟିରେ ରଖି ଦିନକୁ ଅତିକମ୍ରେ ୨ଲକ୍ଷ ଲୋକଙ୍କୁ କରୋନା ଟିକା ଦେବା ପାଇଁ ପ୍ରସ୍ତୁତି କରାଯାଇଛି । ତେଣୁ ଆଗାମୀ ୧୫ ଦିନ ମଧ୍ୟରେ ଆବଶ୍ୟକ ଟିକା ଯୋଗାଇ ଦିଆଯାଇ ପାରିଲେ ଟିକାକରଣ କରିବାକୁ ସୁବିଧା ହୋଇପାରିବ ।
ରାଜ୍ୟରେ ଆବଶ୍ୟକ ପରିମାଣରେ କରୋନା ଟିକା ମହଜୁଦ ନଥିବାରୁ ଆଗାମୀ ୧୫ ଦିନର ଟିକାକରଣ ପାଇଁ ଯୋଜନା ପ୍ରସ୍ତୁତି ହୋଇପାରିନାହିଁ । କିଛି ରାଜ୍ୟକୁ ଆବଶ୍ୟକ ଟିକା ଯୋଗାଇ ଦିଆଯାଇ ପାରିଥିବାରୁ ଦିନକୁ ୩ ଲକ୍ଷ ପର୍ଯ୍ୟନ୍ତ ଟିକାକରଣ ହୋଇପାରୁଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଟିକା ଯୋଗାଣରେ ପାତରଅନ୍ତର ନୀତି ଅନୁଚିତ ବୋଲି ସୂଚିତ କରିଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୨୦ ଲକ୍ଷ ଡୋଜ୍ କରୋନା ଟିକା ଦିଆଯାଇସାରିଛି । ଏହି ଟିକା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ କରୋନା ଯୋଦ୍ଧା ଓ ନିର୍ଦ୍ଧିଷ୍ଟ ବୟସ ବର୍ଗର ଲୋକଙ୍କୁ ଦିଆଯାଇଛି । ଆସନ୍ତା ଏପ୍ରିଲ ୧ ତାରିଖଠାରୁ ୪୫ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କୁ ଟିକା ଦିଆଯିବ । ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ଯେ, ପ୍ରାୟ ୧ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ।