ପୁରୀ : ପିପିପି ମୋଡ଼୍ରେ ପୁରୀରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ । ଭୁବନେଶ୍ୱର ସମ୍ ହସ୍ପିଟାଲ ଏହି କୋଭିଡ଼୍ ହସ୍ପିଟାଲର ପରିଚାଳନା ଦାୟୀତ୍ୱ ନେବ । ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିପାଇଁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲର ଆବଶ୍ୟକତା ରହିଛି । ଏହି ହସ୍ପିଟାଲରେ ୪୦ଟି ଆଇସିୟୁ ସହିତ ୪ଟି ଭେଂଟିଲେଟର ବ୍ୟବସ୍ଥା ରହିବ ।
ସେହିପରି ଗତ ୨୩ ତାରିଖରୁ ଆରଟିପିସିଆର ଟେଷ୍ଟିଂ ମେସିନ୍ ଅଚଳ ଥିବାରୁ ରୋଗୀଙ୍କ ଆଂଟିଜେନ୍ ଟେଷ୍ଟ କରାଯାଉଛି । ଏହା ସହ ଯେଉଁ ମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଛି ସେମାନେ ହସ୍ପିଟାଲ ଯାଇ ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ଜିଲ୍ଲାପାଳ କହିଛନ୍ତି । ଚିହ୍ନଟ ହେଉଥିବା କରୋନା ସଂକ୍ରମିତ ମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତି କରାଯାଉଥିବା ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଛନ୍ତି ।