ମିଥ୍ୟା ଇଲେକ୍ଟ୍ରିବିଲ୍ ଦେଇ ଠକୁଥିବା ଯୁବକ ଗିରଫ

145

ମାଲକାନଗିରି : ୟୁ-ଟ୍ୟୁବରୁ ଶିଖି ମିଥ୍ୟା ଇଲେକ୍ଟ୍ରିବିଲ୍ ପ୍ରସ୍ତୁତ କରି ଦୀର୍ଘ ଦିନ ହେଲା ବିଦ୍ୟୁତ ଗ୍ରାହକମାନଙ୍କୁ ଠକି ଆସୁଥିବା ନବ କିଶୋର ବିଶ୍ୱାସ ନାମକ ଯୁବକକୁ ଓର୍କେଲ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଘଟଣାରୁ ପ୍ରକାଶ ଯେ, ଓର୍କେଲ ଥାନା ଅଧିନସ୍ଥ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୦ ଗ୍ରାମର ନବ କିଶୋର ବିଶ୍ୱାସ ନାମକ ଯୁବକ, ଟାଟା କମ୍ପାନୀ ବିଲ୍ ନିମନ୍ତେ ହସ୍ତାନ୍ତର କରିଥିବା ସାଇ କମ୍ପ୍ୟୁଟର ନାମକ କମ୍ପାନୀ ଅଧୀନରେ ବିଦ୍ୟୁତ ବିଲ୍ ଆଦାୟ କର୍ମଚାରୀ ଭାବେ କାମ କରି ଆସୁଥିଲେ । କିନ୍ତୁ, କିଛି ମାସ ପୂର୍ବେ ସେ ନିଜର ବୁଦ୍ଧି ପ୍ରୟୋଗ କରି ୟୁ ଟ୍ୟୁବରୁ କିପରି ମିଥ୍ୟା ବିଦ୍ୟୁତ୍ ବିଲ୍ ପ୍ରସ୍ତୁତ କରାଯାଏ ଉକ୍ତ କୌଶଳ ଶିଖି ପାରିଥିଲେ । ସେହି କୌଶଳ ପ୍ରୟୋଗ କରି ମିଥ୍ୟା ବିଦ୍ୟୁତ୍ ବିଲ୍ ପ୍ରସ୍ତୁତ କରିବାରେ ସକ୍ଷମ ହୋଇଥିଲେ । ତେବେ ନବ କିଶୋର ବିଶ୍ବାସଙ୍କ ଡ୍ୟୁଟି କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତ ଏବଂ ଚିତାପାରି-୩ ପଞ୍ଚାୟତର କିଛି ଗ୍ରାମରେ ରହିଥିବା ବେଳେ ସେ ଆଜକୁ ଦୀର୍ଘ ୩ ମାସ ଧରି ଏପରି ମିଥ୍ୟାବିଲ୍ ଦେଇ ଗ୍ରାହକଙ୍କ ଠାରୁ ଅର୍ଥ ଲୁଟୁଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଗ୍ରାହକମାନଙ୍କ ବିଦ୍ୟୁତ୍ ବିଲ୍ କାର୍ଯ୍ୟାଳୟରେ ପୈଠ ନ ହେବାରୁ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କ ନିକଟକୁ ବିଦ୍ୟୁତ୍ ବିଲ୍ ବକେୟା ରହିଥିବା ନେଇ ନୋଟିସ୍ ଜାରି ହୋଇଥିଲା । ପରେ ଏନେଇ କିଛି ଗ୍ରାମବାସୀ ସାଇ କମ୍ପ୍ୟୁଟର କମ୍ପାନୀର ସୁପରଭାଇଜର ପ୍ରଭାତ ସେଠୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ପରେ କିଛି ଉପାୟ ନ ପାଇ ସୁପରଭାଇଜର ଶ୍ରୀ ସେଠି ଓର୍କେଲ ଥାନାରେ ନବ କିଶୋରଙ୍କ ନାମରେ ଏତଲା ଦେଇଥିଲେ। ଥାନାରେ ଏତଲା ଦେବା ପରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ୱରେ ଓର୍କେଲ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ନବ କିଶୋର ବିଶ୍ବାସକୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ନବ କିଶୋର ଠାରୁ ଓର୍କେଲ ପୋଲିସ ଏକ ବିଲ୍ ମେସିନ, ୨ ଗୋଟି ମୋବାଇଲ ଏବଂ ୪୦ ହଜାର ନଗଦ ଟଙ୍କା ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏବଂ ଥାନାଧିକାରୀ ଜହ୍ନ୍ କୁଜୁର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.