ପାରଳାଖେମୁଣ୍ଡି : ରାଜ୍ୟରେ ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁମାମଲା କ୍ରାଇମବ୍ରାଞ୍ଚର ତଦନ୍ତ ଦିଗହରା ହୋଇ ପଡିଛି ବୋଲି ଅଭିଯୋଗ କରି ଗଜପତି ଜିଲ୍ଲାର ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ ତରଫରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସଂସ୍ଥାକୁ ତଦନ୍ତ ଭାର ଦେବା ପାଇଁ ଦାବି କରିଥିବାର ସୂଚନା ମିଳିଛି । ଏ ନେଇ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲର ରାଜ୍ୟ ସଭାପତି ଆଲୋକ କୁମାର ବୋଷ ସୂଚନା ଦେଇଛନ୍ତି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଯେଉଁ ସବୁ ଜେରା ଏବଂ ତଦନ୍ତ କରିଛନ୍ତି ତାହା କେଉଁ ଦିଗକୁ ଗଲା ଜଣା ପଡୁନାହିଁ । ବର୍ତ୍ତମାନ ବହୁ ବିଷୟ ଲୁଚି ରହିଛି ଏବଂ ଜେରାରେ ଏପରି ଅହେତୁକ ଅବହେଳା କରିବା ଦ୍ୱାରା ମାମଲାଟିର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗ ବଦଳିଯିବା ସହ ପ୍ରମାଣ ନଷ୍ଟ ହେବାର ବହୁ ସମ୍ଭାବନା ରହିଛି ।
ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାର ତଦନ୍ତ କରି ମୁଖ୍ୟାଳୟକୁ ଫେରିଥିବା ରାଜ୍ୟ ସରକାରଙ୍କ ଅଧିନସ୍ଥ କ୍ରାଇମବ୍ରାଞ୍ଚ ଚୂପ ହୋଇ ବର୍ତ୍ତମାନ ବସି ରହିଥିବା ଭଳି ଲାଗୁଛି । ଆଜି ସୁଦ୍ଧା ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିନାହାନ୍ତି । ଏହା ସହ ପୂର୍ବତନ ଏସ୍ପି ତପନ କୁମାର ପଟ୍ଟନାୟକ ପ୍ରଥମେ କହିଥିଲେ ଯେ, ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ଘଟଣା ଦିନ ଏଠାକୁ ଆସିବା ପାଇଁ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶ ନଥିଲା । ତା ପରେ ମମତା ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଜେରା ବେଳେ କହିଥିଲେ ଯେ, ଏସ୍ଡିପିଓଙ୍କ ନିର୍ଦ୍ଦେଶରେ ଘଟଣା ଦିନ ସେ ପାରଳାଖେମୁଣ୍ଡି ଏସିଏଫଙ୍କ ମାମଲାରେ ଆସିଥିଲେ । ଏଭଳି ତାଳମେଳ ନ ଥିବା ବୟାନ ବାଜି ସନ୍ଦେହଜନକ ଅଟେ । ସେହିପରି ଘଟଣା ଦିନ ସୌମ୍ୟଙ୍କୁ ଚିକିତ୍ସା ନିମନ୍ତେ କଟକ ନେଇଥିବା ଆମ୍ବୁଲାନ୍ସ ୭ ଘଣ୍ଟାରୁ ଉର୍ଦ୍ଧ ସମୟ ପରେ କଟକରେ ପହଞ୍ଚିଥିଲା । ଯାହାକି ପାରଳାଖେମୁଣ୍ଡି ଠାରୁ କଟକ ଗୋଟିଏ ଆମ୍ବୁଲାନ୍ସ ପାଇଁ ୫ଘଣ୍ଟା ସମୟ ଲାଗିଥାଏ । ଏହି ଘଟଣାକୁ ନେଇ ମଧ୍ୟ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରାଯାଇଛି । ସିବିଆଇ ତଦନ୍ତ ପାଇଁ ଆମ୍ଭ କାଉନସିଲର ଜାତୀୟ ସ୍ଥରର ଦାୟୀତ୍ୱବାନ ଉପରସ୍ଥ କର୍ମକର୍ତ୍ତାଙ୍କ ସହ ଯୋଗା ଯୋଗ କରି ସମସ୍ତ ବିଚାର ବିମର୍ଶ ଶେଷ କରିବା ସହ ଜାତୀୟ କାଉନସିଲର ସାହାଯ୍ୟକ୍ରମେ ସିବିଆଇ ତଦନ୍ତ ପାଇଁ ବର୍ତ୍ତମାନ ସହଜ ସାଧ୍ୟ୍ୟ ହୋଇଛି ବୋଲି ଶ୍ରୀବୋଷ ସୂଚନା ଦେଇ କହିଛନ୍ତି । ଆଗାମୀ ଦିନରେ ଅତି ତୁରନ୍ତ ଏହି ମାମଲା ନେଇ ସିବିଆଇ ତଦନ୍ତ ନିଶ୍ଚିତ ହେବ ବୋଲି ଆଶା ବାନ୍ଧିଛୁ ।