ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ମୁକାବିଲା ନେଇ ପ୍ରଶାସନିକ ସ୍ତରୀୟ ପ୍ରସ୍ତୁତି ବୈଠକ : ଜରୁରୀକାଳୀନ ଭିତ୍ତିରେ ସତର୍କତା ମୂଳକ ବିହିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ

551

ବାରିପଦା : ଭାରତୀୟ ପାଣିପାଗ ବିଭାଗ ପ୍ରାକ ସତର୍କ ସୂଚନାନୁଯାଇ ଅଣ୍ଡାମାନ ସମୁଦ୍ର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଘୁର୍ଣ୍ଣିଝଡ ପ୍ରଭାବ ନେଇ ଓଡିଶାର କେତେକ ଜିଲ୍ଲାରେ ସମ୍ଭାବ୍ୟ ଝଡ଼ବାତ୍ୟା ସହ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦେଶ କ୍ରମେ ଜିଲ୍ଲା ପ୍ରଶାସନକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ଭିଡିଓ କନ୍ଫରେନ୍ସିଂ ସମ୍ମିଳନୀ କକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟକୁ ସମ୍ପ୍ରସାରିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାର ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଉପସ୍ଥିତ ପଦାଧିକାରୀଙ୍କୁ ସ୍ୱାଗତ ଜଣାଇ ବର୍ତ୍ତମାନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଘୁର୍ଣ୍ଣିଝଡ ପ୍ରଭାବରେ ପ୍ରାକ ସତର୍କତା ଅବଲମ୍ବନ ପୂର୍ବକ ପରିସ୍ଥିତିର ମୁକାବିଲ ପାଇଁ ଭାରତୀୟ ପାଣିପାଗ ବିଭାଗ ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲାରେ ଏହାର ପ୍ରଭାବ ପଡିବାର ସମ୍ଭାବନ ରହିଛି ।

ଏହାକୁ ଦୃଷ୍ଟିରେ ରଖି ବିଶେଷ କରି ବାରିପଦା ଓ ଉଦଳା ଉପଖଣ୍ଡର ସମସ୍ତ ୧୪ଟି ବ୍ଲକ ଅଞ୍ଚଳ ସମେତ ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଅଞ୍ଚଳରେ ଥିବା ନଦୀ କୂଳବର୍ତୀ ତଳିଆ ଏବଂ ଚାଳଛପର କଳାଘର ବସ୍ତି, କଚା ଘର ଅଞ୍ଚଳରେ ଜରୁରୀ କାଳୀନ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ସଂପୃକ୍ତ ତହସିଲଦାର, ବିଡ଼ିଓ ଏବଂ ବିଦ୍ୟୁତ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଆବଶ୍ୟକ ସ୍ଥଳେ ଜରୁରୀକାଳିନ ଭିତ୍ତିରେ କରୋନା କଟକଣା ଅନୁପାଳନ ପୂର୍ବକ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରାକ ପ୍ରସ୍ତୁତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଏବଂ ଜିଲ୍ଲାରେ ଥିବା ଦଶଟି ବାତ୍ୟା ଆଶ୍ରୟସ୍ଥଳ ଏବଂ ନିକଟସ୍ଥ ସରକାରୀ ବିଦ୍ୟାଳୟ ଗୃହ, ଅଙ୍ଗନୱାଡି କେନ୍ଦ୍ର ଗୃହ ଗୁଡିକ ପ୍ରସ୍ତୁତି ରଖିବା, ଅତ୍ୟାବଶ୍ୟକୀୟ ସାମଗ୍ରୀ, ଚୁଡା, ଚିନି, ଗୁଡ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଜେନେରେଟର ଆଲୋକ ବ୍ୟବସ୍ଥା, ପରିମଳ ଆଦି ଆନୁସଙ୍ଗିକ ବ୍ୟବସ୍ଥା ଏବଂ ଓଡ୍ରାଫ, ଅଗ୍ନିଶ୍ରମ ବିଭାଗ ତତ୍ୱାବଧାନରେ ପାୱାର କଟର, ଜେସିବି ମେସିନ ଏବଂ ଯାନବାହାନ ଆଦି ସମସ୍ତ ଅନୁସାଙ୍ଗିକ ସରଞ୍ଜାମ ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା ଯଥାଶୀଘ୍ର ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ଅଗ୍ନିଶମ ଅଧିକାରୀ ସମେତ ସଂପୃକ୍ତ ବିଭାଗ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ୍ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଝଡ଼ବାତ୍ୟା, ବର୍ଷା ସମୟରେ ବିଦ୍ୟୁତ୍ ସରବରାହ, ରାସ୍ତାଘାଟ, ଯୋଗାଯୋଗ ଓ ଟେଲି ଯୋଗାଯୋଗ ବ୍ୟବସ୍ଥା ଦିଗରେ ତୀକ୍ଷଣ ନଜର ରଖିବା ପାଇଁ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଚାଳିତ କୋଭିଡ କ୍ଲୋଷ୍ଟର/ଟିଏମସି/କୋଭିଡ କେୟାର କେନ୍ଦ୍ର, ଚିକିତ୍ସାଳୟରେ ମଧ୍ୟ ଆବଶ୍ୟକୀୟ ଔଷଧ, ସରଞ୍ଜାମ, ଭ୍ରମ୍ୟମାଣ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା, ଡାକ୍ତର ଓ ଚିକିତ୍ସା କର୍ମଚାରୀ ସଜାଗ ରହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକମାନଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁପାଳନ ପ୍ରତି ଧ୍ୟାନ ଦେଇ କାର୍ଯ୍ୟ ପରିଚାଳନା ନେଇ ଗୁରୁତ୍ୱାରୋପ କରାଯାଇଛି । ଏ କ୍ଷେତ୍ରରେ ବିଶେଷ କରି ଆସନ୍ନପ୍ରସବା ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ଉପଖଣ୍ଡ ଚିକିତ୍ସା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାପଦରେ ରଖାଯାଇ ବିହିତ ବ୍ୟବସ୍ଥା କରାଯିବା ଏବଂ ଘରୋଇ ସଙ୍ଗରୋଧରେ ଥିବା କୋଭିଡ ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରରେ ଏବଂ ତାଙ୍କ ପରିବାର ଅନ୍ୟ ସଦସ୍ୟ ସଦସ୍ୟାମାନଙ୍କୁ କ୍ଲଷ୍ଟର ଟିଏମସିରେ ରଖାଯିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ବିଶେଷ ଭାବରେ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ଜରୁରୀକାଳୀନ ଭିତ୍ତିରେ ଆଶ୍ରୟସ୍ଥଳୀ ଭାବେ ଖୋଲା ରଖାଯାଇ ଶିଶୁ/ମହିଳାମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତତ୍ୱାବଧାନରେ ସମ୍ପୃକ୍ତ ସିଡିପିଓ ମାନଙ୍କୁ ସୁପରିଚାଳନା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ୱବାଧାନରେ ଅନାଥ ଆଶ୍ରମ ଗୃହରେ ଅନ୍ତେବାସୀ ଶିଶୁ ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଗୁରୁତ୍ୱାରୋପ ଦିଆଯାଇଛି । ଝଡବାତ୍ୟା, ବର୍ଷା ପ୍ରଭାବିତ ବ୍ଲକ ଅଂଚଳରେ ଅତ୍ୟାବଶ୍ୟକୀୟ ପିଡିଏସ୍ ସାମଗ୍ରି ଗଛିତ ରଖାଯିବା ଓ ଜରୁରୀ କାଳିନ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଭାବିତ ଅଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାଙ୍କର ବ୍ୟାବସ୍ଥା, ଦୂଷିତ ଜଳ ବିଶୋଧନ କରାଯିବା ପାଇଁ ପ୍ରର୍ଯ୍ୟାପ୍ତ ହେଲୋଜିନ୍ ବଟିକା ଯୋଗାଇଦେବାକୁ ସଂପୃକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ, ଗ୍ରାମ୍ୟ ଓ ସହରାଞ୍ଚଳ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀଙ୍କୁ ଗୁରୁତ୍ୱାରୋପ କରାଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକୀୟ ଔଷଧ ଓ ଗୋଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ଜରୁରୀକାଳୀନ ଯୋଗାଯୋଗ ପାଇଁ ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ସମସ୍ତ ଉପଖଣ୍ଡ, ବ୍ଲକ, ତହସିଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଂଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇ ଜରୁରୀ ସୂଚନା ପ୍ରଦାନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ ଶ୍ରୀ ସ୍ମିତ୍ ପି. ପରମାର, ଭାପୁସେ ବୈଠକରେ ଯୋଗଦେଇ ସମ୍ଭାବ୍ୟ ଝଡବାତ୍ୟା ବର୍ଷା/ବନ୍ୟା ସମୟରେ ପ୍ରଭାବିତ ଅଂଚଳରେ ପୋଲିସ ବିଭାଗ ତତ୍ୱାବଧାନରେ ସମସ୍ତ ଥାନା ଅଧିକାରୀ ଓ ସଂପୃକ୍ତ ପୋଲିସ କର୍ମଚାରୀମାନଙ୍କ ସକ୍ରିୟ ସହେଯାଗରେ ଜରୁରୀ କାଳୀନ ସେବା କାର୍ଯ୍ୟ ରେ ନିୟୋଜିତ ହୋଇ ସୁପରିଚାଳନା କରିବାକୁ ଗୁରୁତ୍ୱରୋପ କରିଛନ୍ତି । ଝଡ଼ବାତ୍ୟା ପ୍ରଭାବରେ ବନ୍ୟା ସ୍ଥିତିର ମୁକାବିଲା ଦିଗରେ ସମସ୍ତ ବିଭାଗ ପଦାଧିକାରୀମାନେ ସଜାଗ ରହି ବାତ୍ୟା ପରବର୍ତୀ ଉଧାର ଓ ଥଇଥାନ କାର୍ଯ୍ୟକ୍ରମ ଏବଂ କ୍ଷୟକ୍ଷତିର ପରିମାଣର ପ୍ରାକ ଆକଳନ ବିବରଣୀ ତ୍ୱରିତ ଜଣାଇବା ସଙ୍ଗେ ସଙ୍ଗେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସଂପାଦନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ ସୂଚନା ମତେ ସାମୁଦ୍ରିକ ଝଡ ମଇ ୨୩ ତାରିଖରୁ ମଇ ୨୭ତାରିଖ ମଧ୍ୟରେ ସମ୍ଭାବ୍ୟ ଝଡ଼ବାତ୍ୟା ଓ ବର୍ଷା ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏବଂ ସଂପୃକ୍ତ ରେଡ଼କର୍ସ ସଂସ୍ଥା ଓ ବିଭିନ୍ନ ସେଚ୍ଛାସେବୀ ସଂଗଠନ/ ପିଆରଆଇ ମେମ୍ବରଙ୍କ ସହଯୋଗ ପୂର୍ବକ ସଜାଗ ରହି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରକାଶ ଚନ୍ଦ୍ର ବେହେରା, ପିଡିଡିଆରଡିଏ ଭବେଶ କୁମାର ନାୟକ, ବାରିପଦା ଉପଜିଲ୍ଲାପାଳ ତଥା ବାରିପଦା ପୌର ନିର୍ବାହୀ ଅଧିକାରୀ ପି. ଅନ୍ୱେଷା ରେଡ୍ଡି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ରୂପଭାନୁ ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ସମସ୍ତ ଉପଜିଲ୍ଲାପାଳ, ପ୍ରମୁଖଙ୍କ ସମେତ, ଜିଲ୍ଲାର ସମସ୍ତ ତହସିଲଦାର / ବିଡିଓ, ଏବଂ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗ ପଦାଧିକାରୀ ଉପସ୍ଥିତ ରହି ଆଲୋଚନରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.